ଜ୍ଞାନ ଓ ସଂସ୍କୃତି ସହ ବିଜ୍ଞାନ ଏବଂ ଆଧୁନିକତାର ପୀଠ ଭାବେ ପରିଗଣିତ ହେଉଛି ପୁରୀ: ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଲୋକାର୍ପିତ

ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ଅନାଦି ଅନନ୍ତ କାଳରୁ ଜ୍ଞାନ, ସଂସ୍କୃତି, ବିଜ୍ଞାନ ଓ ଆଧୁନିକତାର ପୀଠ ଭାବେ ପରିଗଣିତ ହେଉଛି । ଆମ ସଭ୍ୟତାର ମୌଳିକ ଜ୍ଞାନ ବେଦ ଉପନିଷଦ ସମ୍ପର୍କରେ ନୂଆପିଢିଙ୍କୁ ଆଧୁନିକ ସ୍ୱୀକୃତି ସହ ପଢାଇବାର ବ୍ୟବସ୍ଥା କରିବା ପାଇଁ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଆରମ୍ଭ କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପୁରୀରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସରେ ‘ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ ଅବସରରେ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶରେ ଏନଇପି ଆଧାରରେ ବେଦ ଉପନିଷେଦର ପୃଥକ ବୋର୍ଡ ତିଆରି କରାଯାଇଛି । ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନକୁ ଏହାର ମାନ୍ୟତା ଦିଆଯାଇଛି । ଋଗ୍ ବେଦର କେନ୍ଦ୍ର ପୁରୀରେ, ବେଦ ବିଦ୍ୟାଳୟ ମୁଖ୍ୟ ବେଦ ଗୁଡ଼ିକର ସବିଶେଷ ଅଧ୍ୟୟନର ଅବସର ତିଆରି କରିବ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ଉଦଘାଟନ ଏବଂ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ଲୋକାର୍ପଣ କରିଛନ୍ତି। ଆଜି ଲୋକାର୍ପିତ ହୋଇଥିବା ପ୍ରତିଷ୍ଠାନର ମୂଳ ଉଦ୍ଦେଶ୍ୟ ହେଉଛି ବେଦର ଜ୍ଞାନର ଭଣ୍ଡାରକୁ ସଂରକ୍ଷଣ କରିବା ସହ ପ୍ରଚାର ପ୍ରସାର କରିବା।

 

ଦଶହରାର ଶୁଭ ଅବସରରେ ପବିତ୍ର ପୁରୀ ଧାମରେ ମହାପ୍ରଭୁଙ୍କ ଆଶୀର୍ବାଦରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସରେ ‘ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କରି ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି । ଏହା ପୁରୀ ଓ ସମଗ୍ର ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ସମାରୋହରେ ବିଭିନ୍ନ ରାଜ୍ୟରୁ ବେଦ ବିଶାରଦ ଉପସ୍ଥିତ ଥିଲେ।

 

 

ସମ୍ବନ୍ଧିତ ଖବର