୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ

ପୁରୀରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡୁ ସାମିଲ

ଭୁବନେଶ୍ବର/ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଠାରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି । ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ବିଷୟବସ୍ତୁକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ପ୍ରଦର୍ଶନୀରେ ବିଗତ ୮ ବର୍ଷ ମଧ୍ୟରେ ଦେଶର ବିକାଶ ଏବଂ ଦେଶବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କ ପାଇଁ ସୂଚନା ପ୍ରଦର୍ଶିତ ହୋଇଛି।

ଏହାକୁ ଉଦ୍‌ଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଏହି ପ୍ରଦର୍ଶନୀରେ ସୁଶାସନ ଓ ସରକାରୀ ଯୋଜନା ସମ୍ପର୍କରେ ସୁନ୍ଦର ଉପସ୍ଥାପନା କରାଯାଇଛି। ଲୋକମାନେ ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ପ୍ରଚାର ଗାଡ଼ିକୁ ମଧ୍ୟ ସବୁଜ ପତାକା ଦେଇ ଶୁଭାରମ୍ଭ କରିଥିଲେ। ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହୋଇଥିଲେ । କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଜନଜାତି ବ୍ୟାପାର, ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିଥିଲେ । ଏହି ଅବସରରେ ସେ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ତାଙ୍କର ଡୋରି ଲାଗିଥିବାରୁ ସେ ରଥଯାତ୍ରା ଦେଖିବାର ସୁଯୋଗ ପାଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ରଥପାଖକୁ ଯାଇ ଠାକୁରଙ୍କ ପହଣ୍ଡି ଦେଖିଥିଲେ । ରଥଚକକୁ ଛୁଇଁ ମୁଣ୍ଡିଆ ମାରିଥିଲେ । ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସୁନ୍ଦର ବ୍ୟବସ୍ଥା ମଧ୍ୟରେ ରଥଯାତ୍ରା ଆୟୋଜନ କରାଯାଉଛି । ଏହି ଅବସରରେ ସେ ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡ଼ୁ ବଡ଼ ଦାଣ୍ଡରେ ଉପସ୍ଥିତ ରହି ରଥଯାତ୍ରା ଦେଖିଥିଲେ । ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଧାନ ସେବକ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେର ଦୃଶ୍ୟ ଅତି ଅପୂର୍ବ । ରଥଯାତ୍ରା ଉପଲକ୍ଷେ ସେ ମହାପ୍ରଭୁଙ୍କ ପାଖରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର