ସମ୍ବଲପୁର/ଭୁବନେଶ୍ବର : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆକାଶ ମାର୍ଗରୁ ପଶ୍ଚିମ ଓଡ଼ିଶାର ବନ୍ୟା ପ୍ରଭାବିତ ଜିଲ୍ଲା ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଓ ବୌଦ୍ଧର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ବିପନ୍ନଙ୍କ ଖାଦ୍ୟ, ରହଣି ବ୍ୟବସ୍ଥା ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି।
ଧର୍ମେନ୍ଦ୍ର ଆଜି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହାଦେଓ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସହ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବା ପରେ କହିଛନ୍ତି ଯେ, ନିକଟରେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ ସୋନପୁରରେ ଯେଭଳି ବର୍ଷା ହେଲା ସେଭଳି ବର୍ଷା ଗତ ୫୦ବର୍ଷ ଭିତରେ ହୋଇନଥିଲା। ଫଳରେ ଏହି ସବୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ହେଲେ ସ୍ଥାନୀୟ ପ୍ରଶାସନ ବନ୍ୟା ପ୍ରଭାବିତ ଅଞ୍ଚଳରେ ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗ ନେଇ ବିପନ୍ନଙ୍କ ପାଇଁ ଭଲ ବ୍ୟବସ୍ଥା କରିଛି।
ସେ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରୁଥିବାବେଳେ ଏହାର ତାଲିକା ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ଦେବ। ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏନ୍ଡିଆରଏଫ୍ ଓ ଏସ୍ଡିଆରଏଫ୍ ପାଣ୍ଠିରୁ ସହଯୋଗ ଯୋଗାଇବେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ବାସହରା ଲୋକଙ୍କୁ କିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ ସେନେଇ ସେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସହଯୋଗର ଦାୟିତ୍ବ େନବେ। ହେଲେ ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତିର ରିପୋର୍ଟ ଦେବା ଦରକାର।
ସେହିପରି ବନ୍ୟାରେ ବିଶେଷ କରି ଛୋଟ ବ୍ୟବସାୟୀ ତଥା ଉଠା ଦୋକାନୀ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଏମାନଙ୍କୁ କେନ୍ଦ୍ର ସରକାରଙ୍କ ମୁଦ୍ରା ଯୋଜନାରେ ଯୋଡ଼ି ସେମାନଙ୍କ ରୋଜଗାର ଓ ସ୍ବରୋଜଗାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଅପରପକ୍ଷେ ପ୍ରଧାନମନ୍ତ୍ରୀ ବଲାଙ୍ଗୀରକୁ ଆକାଂକ୍ଷା ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ବିନା ବଲାଙ୍ଗୀରରେ ଓଡ଼ିଶା ଆଗକୁ ଯିବା ଅସମ୍ଭବ। ଏଭଳି ବିପତ୍ତି ଘଡ଼ିରେ ସେ ଓଡ଼ିଶାର ସିପାହୀ ତଥା ପ୍ରତିନିଧି ଭାବେ କେନ୍ଦ୍ର ସରକାରଙ୍କ ନିକଟରେ ଏ ବିଷୟ ଉପସ୍ଥାପନ କରି ଓଡ଼ିଶାର ଅପେକ୍ଷାକୁ ପୂରଣ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/SBPHO17-SB1.jpg)