ଓଡିଶାବାସୀଙ୍କୁ ଗଣ ପର୍ବ ‘ରଜ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବା ‘ରଜ’ ପର୍ବର ଅନନ୍ୟ ପରମ୍ପରା

ଭୁବନେଶ୍ୱର: ଓଡ଼ିଶାର ଗଣ ପର୍ବ ‘ରଜ’ ଉପଲକ୍ଷେ ଓଡ଼ିଶାର ସମସ୍ତ ଭାଇ ଭଉଣୀ, ଗୁରୁଜନ ମାନଙ୍କୁ ଭିଡିଓ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରଜ ଉତ୍ସବ ଅବସରରେ ଓଡିଶାବାସୀଙ୍କୁ କୋଭିଡ୍ ନିୟମ ମାନିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ ଜୁନ ୨୧ରୁ ଆରମ୍ଭ ହେଉଥିବା ମାଗଣା ଟିକାକରଣ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ଭିଡିଓ ବାର୍ତାରେ କହିଛନ୍ତି ଯେ ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବା ହେଉଛି ‘ରଜ’ ପର୍ବର ଅନନ୍ୟ ପରମ୍ପରା । ଆଜିର ଦିନରେ ଶ୍ରୀମନ୍ଦିରରୁ ଆରମ୍ଭ କରି ପୁରପଲ୍ଲୀର ସମସ୍ତ ଦେବ ମନ୍ଦିରରେ ସ୍ୱତନ୍ତ୍ର ଭାବରେ ପୂଜାର୍ଚ୍ଚନା କରାଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର । ଏଣୁ ଏହା ଜନମାନସକୁ ପ୍ରଭାବିତ କରିଥାଏ । ଆଜିର ଦିନ ଆନନ୍ଦ ଉଲ୍ଲାସ, ମଉଜ ମଜଲିସ୍, ପିଠାପଣା, ନୂଆ ପୋଷାକ ପରିଧାନ, ଜାନିଯାତ୍ରା, ଭ୍ରମଣ, ନାଚ ଗୀତ, ନାଟକ, ସଭା, ପାଠୋତ୍ସବ ଇତ୍ୟାଦିର ଦିନ । ନିଜର ବନ୍ଧୁ ମାନଙ୍କୁ ଚର୍ଚ୍ଚା କରିବା, ଖିଆପିଆ ଓ ଭାବର ଆଦାନପ୍ରଦାନରେ ଅଂଶୀଦାର ହେବା ବନ୍ଧୁ ମିଳନର ଏକ ଭିନ୍ନ ପର୍ବ ଏ ରଜ ।

ଆଜି ଦୁନିଆ ଆମକୁ ଆଜି ଭିନ୍ନ ଏକ ସ୍ଥାନରେ ଛିଡ଼ା କରିଛି । କରୋନା ମହାମାରୀ କାରଣରୁ ଆମେ ସମସ୍ତେ ଘରେ ଘରେ ରହି ରଜ ପାଳନ କରୁଛୁ । ବର୍ତମାନ ସମୟରେ ମାସ୍କ୍ ପନ୍ଧିିବା, ଟିକା ନେବା ଆମ ପାଇଁ ହୋଇଛି ବଡ଼ ଦାୟିତ୍ୱ । ସାମାଜିକ ଦୂରତା ରକ୍ଷା କରିବା, ସଫା ସୁତୁରା ରହିବା ତଥା କରୋନା ସଚେତନତା ପାଳନ କରିବା ଆମ ପାଇଁ ହୋଇଛି ସୁରକ୍ଷା କବଚ ।

କରୋନା ବିରୋଧରେ ଲଢ଼େଇ କରିବା ପାଇଁ ସମସ୍ତ ଦେଶବାସୀଙ୍କୁ ଟିକା ଅଭିଯାନରେ ସାମଲି ହେବା ପାଇଁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି । ଜୁନ ୨୧ରୁ ଆରମ୍ଭ ହେଉଥିବା ମାଗଣା ଟିକା ଅଭିଯାନରେ ସମସ୍ତେ ସାମଲି ହେବାକୁ ଅନୁରୋଧ କରୁଛି । ଆସନ୍ତୁ, କୋଭିଡ-୧୯ର ସମସ୍ତ ନିୟମକୁ ମାନି ଘରେ ରହି ଏଥର ରଜ ପର୍ବକୁ ସ୍ୱତନ୍ତ୍ର କରିବା । ଏହି ଗଣ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଆଣିଦେଉ ବୋଲି କେନ୍ଦ୍ରମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି ।

ସମ୍ବନ୍ଧିତ ଖବର