ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଓ ବାଲେଶ୍ୱର ସୀମା ନିକଟରେ ଥିବା ରାଣୀତାଲ ଛକରେ ଅଣ୍ଡରପାସ୍ ଦାବି ନେଇ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖିଛନ୍ତି।
ଏହି ଚିଠିରେ ରାଣୀତାଲ ମୁଖ୍ୟ ବଜାର ଛକରେ ଭେଇକୁଲାର ଅଣ୍ଡର ପାସ୍ (ଭିୟୁପି) ନିର୍ମାଣ କରିବା ସହ ରାଣୀତାଲ ସ୍କୁଲ ଛକରେ ପାସେଞ୍ଜର ଅଣ୍ଡର ପାସ୍ (ପିୟୁପି) ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି। ରାଣୀତାଲବାସୀଙ୍କର ଏହା ଦୀର୍ଘଦିନର ଦାବି ହୋଇଥିବା ବେଳେ ଏହି ଦାବି ପ୍ରତି ଗୁରୁତ୍ୱ ଦେଇ ପ୍ରସ୍ତାବିତ ଦୁଇଟି ସ୍ଥାନରେ ୧୬ ଜାତୀୟ ରାଜପଥ ଉପରେ ଅଣ୍ଡରପାସ୍ ନିର୍ମାଣ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ର ଲେଖିଛନ୍ତି।
/sambad/media/post_attachments/wp-content/uploads/2020/01/Dp.jpg)
ସୂଚନାଯୋଗ୍ୟ, ରାଣୀତାଲ ବିକାଶ ମଞ୍ଚ ପକ୍ଷରୁ ଆଜକୁ ଏକ ମାସ ଧରି ଧାରଣା ଜାରି ରହିଛି। ଗମନାଗମନ ଓ ସ୍କୁଲ ଛାତ୍ରଛାତ୍ରୀଙ୍କର ସୁଗମ ଯାତ୍ରାକୁ ଦୃଷ୍ଟିରେ ରଖି ଅଞ୍ଚଳର ବୁଦ୍ଧିଜୀବୀ ଓ ପ୍ରାୟ ଆଖପାଖ ୫୦ ଖଣ୍ଡ ଗ୍ରାମର ହଜାର ହଜାର ଲୋକ ଗୋଟିଏ ଦାବି ଉଠାଇଛନ୍ତି। ରାଣୀତାଲ ମୁଖ୍ୟ ବଜାର ଛକରେ ଅଣ୍ଡରପାସ୍ ଓ ସ୍କୁଲଛକରେ ଅଣ୍ଡରପାସ୍ ନିର୍ମାଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ମାତ୍ର ୧୬ ନମ୍ବର ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିବା ବେଳେ ଅଞ୍ଚଳବାସୀ ରାଜପଥ ନିର୍ମାଣ କାମକୁ ବନ୍ଦ କରି ଦେଇଛନ୍ତି। ଏହି ଆନ୍ଦୋଳନକୁ ସବୁ ବର୍ଗରୁ ସମର୍ଥନ ମିଳିଥିବା ବେଳେ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ବିଧାୟକ, ସାଂସଦ ଓ ବିରୋଧୀ ଦଳର ଉପନେତା ପ୍ରମୁଖ ଧାରଣାସ୍ଥଳକୁ ଯାଇ ଲୋକମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଉଲ୍ଲେଖଯୋଗ୍ୟ ରାଣୀତାଲବାସୀଙ୍କର ସ୍ୱାଭିମାନର ଲଢେଇକୁ ଦୃଷ୍ଟିରେ ରଖି ବିରୋଧୀ ଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରି ଦୁଇଟି ଅଣ୍ଡପାସ୍ ପାଇଁ ଚିଠି ଦେଇଥିଲେ। ବିଷ୍ଣୁଙ୍କ ଅନୁରୋଧକୁ ରକ୍ଷା କରି ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନିତିନ୍ ଗଡ଼କରୀଙ୍କୁ ଅଣ୍ଡରପାସ୍ ନିର୍ମାଣ ନେଇ ଚିଠି ଲେଖିଛନ୍ତି।
ଗତ କିଛି ବର୍ଷ ମଧ୍ୟରେ ରାଣୀତାଲ ଛକରେ ୫୦ରୁ ଉର୍ଦ୍ଧ୍ୱ ଦୁର୍ଘଟଣା ଘଟି ବହୁ ଲୋକଙ୍କର ଜୀବନ ଯାଇଛି । ଗତ ବର୍ଷ ମଧ୍ୟ ଏହି ଛକ ନିକଟରେ ସ୍କୁଲ ପିଲାଙ୍କର ଉପରେ ଟ୍ରକ ଚଢ଼ି ଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ଦିନ ଠାରୁ ପୋଲ ନିର୍ମାଣ ପାଇଁ ଦାବି ଜୋର ଧରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Ranital.jpg)