ସଂସଦ ଭବନରେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଉ

ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ସଂସଦ ଭବନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋଚିତ୍ର ସ୍ଥାନିତ କରିବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତା ଏପ୍ରିଲ୍‌ ୨୮ ତାରିଖରେ ତାଙ୍କର ୧୭୧ତମ ଜୟନ୍ତୀ ଅବସରରେ ଏହାକୁ ଉନ୍ମୋଚନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ମଧୁ ବାବୁ ଭାବେ ସର୍ବଜନବିଦିତ ଏହି ମହାନ ଓଡ଼ିଆ ବ୍ୟକ୍ତିତ୍ୱ ଜଣେ ଅନନ୍ୟ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ସାହିତ୍ୟିକ। ଓଡ଼ିଆମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସେ ନିଜକୁ ସମର୍ପିତ କରିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ତାଙ୍କ ମହାନ ଯୋଗଦାନ ନିମନ୍ତେ ଉତ୍କଳ ଗୌରବ ଭାବେ ସେ ପରିଚିତ। ମଧୁ ବାବୁ ଅନେକ କ୍ଷେତ୍ରରେ ପ୍ରଥମ ବ୍ୟକ୍ତିର ମାନ୍ୟତାର ଅଧିକାରୀ। ସେ ନାରୀ ସଶକ୍ତିକରଣର ମହାନ ସମର୍ଥକ ଭାବେ କଟକରେ ପ୍ରଥମ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଓଡ଼ିଶାରେ ଶିଳ୍ପାୟନରେ ସେ ଥିଲେ ଆଦ୍ୟ ପୁରୋଧା। ମଧୁ ବାବୁ ଜଣେ ସଫଳ ସାହିତ୍ୟିକ ହେବା ଛଡ଼ା ମହାତ୍ମା ଗାନ୍ଧୀଙ୍କ ସମେତ ଅନେକ ଭାରତୀୟ ନେତୃବୃନ୍ଦଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ।

ସମ୍ବନ୍ଧିତ ଖବର