ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ମଧ୍ୟରେ ପ୍ରତିବର୍ଷ ହାରାହାରି ୨୦ହଜାର ପିଲା ପାଠ ଛାଡ଼ୁଛନ୍ତି। ଯାହା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ପାଇଁ ଆଦୌ ଶୁଭଙ୍କର ନୁହେଁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟକୁ ଆଧାର କରି ଏଭଳି ଉଦ୍ବେଗ ପ୍ରକାଶ କରିଛନ୍ତି। ଦକ୍ଷତା ବୃଦ୍ଧି ତାଲିମକୁ ଗୁରୁତ୍ବ ଦେଇ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରଶାସନ ଏବଂ ଶିକ୍ଷା ବିଭାଗକୁ ସେ ଅନେକ ପରାମର୍ଶ ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮୦୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରିସଂଖ୍ୟାନ ଦିଆଯାଇଥିଲା। ପ୍ରତ୍ୟେକ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅନୁପାତ ବାହାର କରି କେନ୍ଦ୍ରମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୧ଲକ୍ଷ ୩୧ହଜାର ୭୩୪ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପ୍ରାୟ ୮୦ହଜାର ପିଲା ପାଠ ପଢ଼ୁଛନ୍ତି। ଯଦି ୮ଟି ଶ୍ରେଣୀର ଛାତ୍ରଛାତ୍ରଙ୍କୁ ଭାଗ କରି ପ୍ରତି ଶ୍ରେଣୀରେ କେତେ ପିଲା ପାଠ ପଢ଼ୁଛନ୍ତି, ତାହାର ହିସାବ କରିବା ତେବେ ହାରାହାରି ୨୬ହଜାର ପିଲା ପାଠ ପଢ଼ୁଛନ୍ତି। କିନ୍ତୁ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏହି ତୁଳନାରେ ଯଥେଷ୍ଟ କମ୍। ପ୍ରଶାସନର ତଥ୍ୟ ଅନୁସାରେ ଜିଲ୍ଲାରେ ଉଭୟ ନବମ ଏବଂ ଦଶମ ଶ୍ରେଣୀରେ ମୋଟ ୩୫ହଜାର ୧୨୨ଜଣ ପିଲା ପାଠପଢ଼ୁଛନ୍ତି। ଶ୍ରେଣୀ ଅନୁଯାୟୀ ଆକଳନ କଲେ ନବମ ଏବଂ ଦଶମରେ ହାରାହାରି ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୭ହଜାର ଲେଖାଏଁ ହୋଇଯାଉଛି। ମାଟ୍ରିକ୍ ପରେ ଏହି ସଂଖ୍ୟା ଆହୁରି କମି ଯାଉଛି। ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ମାତ୍ର ୧୨ହଜାର ଏବଂ ଗୋଟିଏ ଶ୍ରେଣୀର ହାରାହାରି ମାତ୍ର ୬ହଜାର। ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ହାରାହାରି ୨୬ହଜାର ହେଉଥିବା ବେଳେ ଦ୍ବାଦଶ ବେଳକୁ ତାହା ୬ହଜାରକୁ ଖସି ଆସୁଛି। ଯଦି ଉଚ୍ଚଶିକ୍ଷା, ଆଇଟିଆଇ, ପଲିଟେକ୍ନିକ୍, ବିଭିନ୍ନ ଦକ୍ଷତା ବିକାଶ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ମିଶାଇ ଦିଆଯିବ ତେବେ ସ୍ଥିତି ଆହୁରି ସଂଗିନ୍ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ।
ମିସନ ଶକ୍ତି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକକୁ ଜିଲ୍ଲାପାଳ ଡ.କୋମଳ ଲୋଚନ ମିଶ୍ର ସଂଯୋଜନା କରିଥିବା ବେଳେ ସମସ୍ତ ବିଭାଗୀୟ ଉଚ୍ଚ ଅଧିକାରୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଯୋଗ ଦେଇଥିଲେ।