ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି : ରାଜ୍ୟରେ ଡିଜିଟାଲ୍‌ ସ୍ବାସ୍ଥ୍ୟ ମିସନ ଓ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଅନୁରୋଧ

ଭୁବନେଶ୍ୱର : ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦୁଇଟି ଜନକଲ୍ୟାଣକାରୀ ଯୋଜନା ଓଡ଼ିଶାରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଜାତୀୟ ଡିଜିଟାଲ୍‌ ସ୍ବାସ୍ଥ୍ୟ ମିସନ୍‌ (ଏନ୍‌ଡିଏଚ୍‌ଏମ୍‌) ଓ ଆୟୁଷ୍ମାନ୍‌ ଭାରତ ଯୋଜନା (ଏବି-ପିଏମ୍‌ଜେଏଓ୍ବାଇ) ଲାଗୁ କରିବାକୁ ଶ୍ରୀ ପ୍ରଧାନ ଚିଠିରେ ଅନୁରୋଧ କରିଛନ୍ତି। ଏହି ଯୋଜନାଗୁଡ଼ିକ ଓଡ଼ିଶାବାସୀଙ୍କ ଜୀବନରେ ଉନ୍ନତି ଆଣିବାରେ ଯଥେଷ୍ଟ ସହାୟକ ହେବ ବୋଲି କହିଛନ୍ତି।

ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଜାତୀୟ ଡିଜିଟାଲ୍‌ ସ୍ବାସ୍ଥ୍ୟ ମିସନର ଶୁଭାରମ୍ଭ କରିଥିଲେ। ଏହି ମିସନ ମାଧ୍ୟମରେ ରାଜ୍ୟର ପ୍ରବାସୀଙ୍କ ସମେତ ଦେଶର ସମସ୍ତ ନାଗରିକଙ୍କୁ ସ୍ବାସ୍ଥ୍ୟ ସୁବିଧା ମିଳିବାରେ ସହାୟକ ହେବ। ଇ-ଗଭର୍ଣ୍ଣାନ୍‌ସ୍‌ ଜରିଆରେ ଲୋକଙ୍କୁ ଡିଜିଟାଲ୍‌ ସ୍ବାସ୍ଥ୍ୟ ମିସନ୍‌ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ପରିଚୟ ପତ୍ର (ୟୁଏଚ୍‌ଆଇଡି)ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ନୂଆ ସ୍ତରକୁ ନେବ। ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ପରିଚୟ ପତ୍ର ଦ୍ବାରା ଦେଶର ପ୍ରତ୍ୟେକ ନାଗରିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଯଥା ମେଡିକାଲ୍‌ ପରୀକ୍ଷା, ପୂର୍ବ ଔଷଧର ବିବରଣୀ, ରୋଗ ନିରାକରଣ ଓ ଉପଚାର ସମ୍ପର୍କରେ ବିସ୍ତୁତ ରେକର୍ଡ଼ ପାଇପାରିବେ। ଜଣେ ବ୍ୟକ୍ତି ଦେଶର ଯେ କୌଣସି ସ୍ଥାନରେ ଡାକ୍ତରଙ୍କ ପରାମର୍ଶ ନେଇପାରିବ ସହା ଫି ଦାଖଲ ଓ ପ୍ରେସକ୍ରିପ୍‌ସନ୍‌ ମଧ୍ୟ ଦେଖାଇପାରିବେ। ଏହି ସମସ୍ତ ସୁବିଧା ଉନ୍ନତ ବୈଷୟିକ ପଦ୍ଧତିରେ ଉପଲବ୍ଧ କରାଯିବ। ଯାହାକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ।

ଜାତୀୟ ସ୍ବାସ୍ଥ୍ୟ ପ୍ରାଧୀକରଣ (ଏନ୍‌ଏଚ୍‌ଏ) ଦ୍ବାରା ଏନ୍‌ଡିଏଚ୍‌ଏମ୍‌ ବିକଶିତ ହୋଇଛି। ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଯଥା ଚଣ୍ଡିଗଡ଼, ଲଦାଖ, ଦାଦ୍ରା ଓ ନଗରହାବେଳି, ଡାମନ, ଡିଉ, ପୁଡୁଚେରି, ଆଣ୍ଡାମାନ୍‌ ଓ ନିକୋବର ଦ୍ବୀପପୁଞ୍ଜ ଏବଂ ଲାକ୍ଷାଦୀପରେ ପାଇଲଟ୍‌ ପ୍ରକଳ୍ପ ଭାବେ ଲାଗୁ କରାଯାଇଛି। ସମ୍ପ୍ରତି କରୋନା ମହାମାରୀ ସମୟରେ ବାହାରେ କାମ କରୁଥିବା ଲୋକମାନେ ସାମାଜିକ କଲ୍ୟାଣକାରୀ ଯୋଜନା ପାଇବାରେ ଅସୁବିଧା ଭୋଗୁଛନ୍ତି। ଦେଶବ୍ୟାପୀ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ପରିଚୟ ପତ୍ର ଯୋଗୁ ପ୍ରବାସୀ ତଥା ବାହାରେ କାମ କରୁଥିବା ଲୋକମାନେ ଉପକୃତ ହେବେ। ସ୍ବାସ୍ଥ୍ୟସେବା ପାଉନଥିବା ଦୁର୍ଗମ ଅଞ୍ଚଳର ଲୋକମାନେ ମଧ୍ୟ କମ୍‌ ମୂଲ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା ସୁବିଧା ପାଇପାରିବେ।

ସେହିପରି ଆୟୁଷ୍ମାନ ଭାରତ ବା ଏବି-ପିଏମ୍‌ଜେଏଓ୍ବାଇ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ ଏହି ଯୋଜନା ବିଶ୍ବର ସର୍ବବୃହତମ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଓ ଗରିବଙ୍କ ପାଇଁ ସୁଯୋଗ ଓ ଗେମ୍‌ ଚେଞ୍ଜରରେ ପରିଣତ ହୋଇଛି। ଓଡ଼ିଶାର ୬୦ ଲକ୍ଷରୁ ଅଧିକ ହିତାଧିକାରୀ ସମେତ ଦେଶର ୫୦ କୋଟି ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ରାଜ୍ୟର ଜନପ୍ରତିନିଧିମାନେ ରାଜ୍ୟରେ ଏହି ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଲେ ଓଡ଼ିଶାର ବହୁ ବ୍ୟକ୍ତି ସଠିକ୍‌ ସମୟରେ କମ୍‌ ମୂଲ୍ୟରେ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ସେ ଚିଠିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର