ତି‌ର୍ତ୍ତୋଲ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭର୍ଚୁଆଲ ରାଲି, ଯୋଡ଼ିହେଲେ ନିର୍ବାଚନମଣ୍ଡଳୀର ଦଶ ହଜାର କର୍ମୀ

‘ପ୍ରଲୋଭନର ଶିକାର ନହୋଇ ଓଡ଼ିଶା ରାଜନୀତିକୁ ଦିଗ୍‌ଦର୍ଶନ ଦିଅନ୍ତୁ’

ଜଗତସିଂହପୁର ଟାଉନ୍ : ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ। ସାରଳା ସୂତାକଳ କାହିଁକି ବନ୍ଦ ହେଲା? କାହିଁକି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ଲୋକ? ମାମୁଁ–ଭଣଜା ଘାଇ ପଛରେ କିଏ? କେତେ ପ୍ରତିଶ୍ରୁତି ପାଳନ କରିଛନ୍ତି ରାଜ୍ୟ ସରକାର? କାହିଁକି ରାଜ୍ୟରେ ଲାଗୁ ହେଉ ନାହିଁ ଆୟୁଷ୍ମାନ ଭାରତ ଯୋଜନା? ଏଭଳି ପ୍ରଶ୍ନ ଉଠାଇବା ସହିତ ଅଳ୍ପ ପ୍ରଲୋଭନର ଶିକାର ନହୋଇ ଓଡ଼ିଶାର ରାଜନୀତିକୁ ଦିଗଦର୍ଶନ ଦେବା ପାଇଁ ଭୋଟ ଦେବାକୁ ଶ୍ରୀ ପ୍ରଧାନ ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ତିର୍ତ୍ତୋଲବାସୀଙ୍କୁ ଆହ୍ବାନ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ରାଜ୍ୟ ସରକାର ଲାଗୁ କରୁନାହାନ୍ତି। ତିର୍ତ୍ତୋଲର ଶ୍ରମିକ ବାହାର ରାଜ୍ୟରେ ଯାଇ କାମ କରୁଛନ୍ତି। ଆୟୁଷ୍ମାନ ଯୋଜନାରେ ଥିଲେ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ଚିକିତ୍ସା ମିଳିଥାନ୍ତା। ନିଜସ୍ବ ସ୍ବାସ୍ଥ୍ୟସେବା ଯୋଜନା ରାଜ୍ୟ ସରକାର କଲେ। କିନ୍ତୁ ତାର ଚିତ୍ର ଲୋକମାନେ ଦେଖୁଛନ୍ତି। ପାରାଦୀପରୁ ଖଣିଜ ସମ୍ପଦ ବାହାରକୁ ରପ୍ତାନି କରାଯାଉଛି କିନ୍ତୁ ଦୀପତଳ ଅନ୍ଧାର ଭଳି ଜଗତସିଂହପୁରରେ ବେରୋଜଗାରୀ ଚରମ ସୀମାରେ। ତିନୋଟି ଉପନିର୍ବାଚନ ବିଜେପୁର ଦୁଇ ଥର ଏବଂ ପାଟକୁରା ବେଳେ ଯେଉଁ କଥା ଶାସକ ଦଳ କହିଥିଲା, ତିନି ବର୍ଷ ପରେ ଗୋଟିଏ ବି ପ୍ରକଳ୍ପ ପୂରା ହୋଇନାହିଁ। ଏବେ ସେତୁ କଥା କହି ଭୋଟ୍ ନେବାକୁ ବସିଥିଲା ବେଳେ ଲୋକ କିଭଳି ବିଶ୍ବାସ କରିବେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଜଣେ ଭଲ ସଙ୍ଗଠକ ବୋଲି କହିବା ସହିତ କଂଗ୍ରେସ ଦଳକୁ ଭୋଟ୍ ଦେବା ବିଜୁ ଜନତା ଦଳକୁ ଜିତାଇବା ସହ ସମାନ ବୋଲି ସେ କହିଛନ୍ତି। ଏଥିସହିତ, ତିର୍ତ୍ତୋଲବାସୀ ଅଳ୍ପ ପ୍ରଲୋଭନର ଶିକାର ନହୋଇ ଓଡ଼ିଶା ରାଜନୀତିକୁ ଦିଗଦର୍ଶନ ଦେବାକୁ ଭୋଟ୍ ଦେବେ ବୋଲି କହିଛନ୍ତି।

ସମାବେଶରେ ଉଦବୋଧନ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ୨୦ ବର୍ଷ ହେଲା ରାଜ୍ୟରେ ବିକାଶର ପ୍ରଚାର କରାଯାଉଛି। ମାତ୍ର ବାସ୍ତବରେ ବିକାଶ ହୋଇ ପାରୁ ନାହିଁ। ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଶାରଳା ସୂତାକଳ ପୁନରୁଦ୍ଧାର, ହଂସୁଆ ଡ୍ରେନେଜ୍ ସହ ତିର୍ତ୍ତୋଲର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଆଜିର ଏହି ଭର୍ଚୁଆଲ ରାଲିରେ ତିର୍ତ୍ତୋଲର ପ୍ରାୟ ୪ ଶହ ସ୍ଥାନରେ ୧୦ ହଜାରୁ ଅଧିକ ଲୋକ ସାମିଲ ହୋଇଥିଲେ। ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ ଭର୍ଚୁଆଲ ରାଲିକୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ବିଜେପି ଉପ ସଭାପତି ଭୃଗୁ ବକ୍ସିପାତ୍ର, ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ଲେଖାଶ୍ରୀ ସାମନ୍ତ ସିଂହାର, ପ୍ରଭାତି ପରିଡ଼ା, ଜିଲ୍ଲା ପରିଷଦ ଆଶୋକ ମହାରଣା, ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିରିଡ଼ିରେ ବରିଷ୍ଠ ବିଜେପି ନେତା ନୟନ ମହାନ୍ତି, ଦିଲ୍ଲୀପ ମଲ୍ଳିକ, କୃଷ୍ଣ ପାତ୍ର, ଯୁବ ନେତା ପ୍ରବୋଧ ବାରିକ, ରଘୁନାଥପୁରରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଗଞ୍ଜାମ ଜିଲ୍ଲା ସଭାପତି ମିଟୁ ମଲ୍ଲିକଙ୍କ ସମେତ ବିଭିନ୍ନ ମଣ୍ତଳରେ ହଜାର ହଜାର ଲୋକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର