ଝାରସୁଗୁଡ଼ା : ବିଜେପୁର ଉପନିର୍ବାଚନ ପୂର୍ବରୁ ଗଙ୍ଗାଧର ମେହେର ଜନସେଚନ ପ୍ରକଳ୍ପ ଘୋଷଣା ହୋଇଥିଲା। ତାହା ହେଲା କି? ପଦ୍ମପୁର ଜିଲ୍ଲା ହେଲା କି? ଚାଷୀଙ୍କ ସମସ୍ୟାର ସମାଧାନ ହେଲା କି?  ସେମାନେ ବୀମା ରାଶି ପାଇଲେ? ଶାସନକଳକୁ ବ୍ୟବହାର କରି ସରକାର ନିର୍ବାଚନ ଜିତୁଛନ୍ତି। ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଛି। ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କେବଳ ଲଣ୍ଠନ ଦେଖାଇ ଆସିଛନ୍ତି। ଏଠି ମେରିରାୟ ଶାସନ, କଳାପାହାଡ଼ିଆ ଶାସନ ଚାଲିଛି। ତେଣୁ ବିଜେପିର ଯୁବ ନେତୃତ୍ବ ନିଶ୍ଚିତ ଭାବେ ଉପନିର୍ବାଚନରେ ବାଜିମାତ୍‌ କରିବ। ଝାରସୁଗୁଡ଼ା ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଏଭଳି କିଛି ଭାଷାରେ ଟାର୍ଗେଟ୍‌ କରିଛନ୍ତି।

Advertisment

ରବିବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବାପରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ। ସେଠାରେ କୋଲାବିରାର ରାଜା ତଥା ସ୍ବାଧୀନତା ସଂଗ୍ରାମୀ କରୁଣାକର ସିଂହ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂହଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ବିଜେପିରେ ସାମିଲ୍‌ ହୋଇଥିଲେ। ଏହାପୂର୍ବରୁ ଚଳିତ ଉପନିର୍ବାଚନର ରଣନୀତି ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦଳୀୟ କର୍ମୀ ଓ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଥିଲେ। ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ଚଳିତ ଉପନିର୍ବାଚନରେ ବିଜେପି ନିଶ୍ଚିତ ଭାବେ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥ‌ିଲେ। ଚଳିତ ଉପନିର୍ବାଚନରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ବେକାରୀ ସମସ୍ୟା, ମହାନଦୀ ପାଣିର ସୁବିନିଯୋଗ ହୋଇ ନପାରିବା, ଦାଦନ ସମସ୍ୟ‌ା ଆଦି ମୁଖ୍ୟ ପ୍ରସଙ୍ଗ ପାଲଟିବ ବୋଲି ସେ କହିଥିଲେ। ଶିଳ୍ପାୟନ ଓ ରୋଜଗାର ଶାନ୍ତି ଥିବା ସ୍ଥାନରେ ହୋଇଥାଏ। ମାତ୍ର ଯେଉଁଠି ରାଜ୍ୟର ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ପୁଲିସ୍‌ ହତ୍ୟା କରୁଛି, ଅସୁଲି ପାଇଁ ଜଣେ ନାବାଳକକୁ ଅପହରଣ ପରେ ହତ୍ୟା କରାଯାଉଛି ସେଠାରେ ଶାନ୍ତି କୁଆଡ଼ୁ ଆସିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଜୁଏଲ୍‌ ଓରାମ, ସାଂସଦ ସୁରେଶ ପୂଜାରୀ, ବିଧାୟକ ଶଙ୍କର ଓରାମ, ବୃନ୍ଦାବନ ମାଝୀ, ରବି ନାଏକ, ଗୋଲକ ମହାପାତ୍ର, ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।