ଓଡ଼ିଶାର ବିରୋଧ ସତ୍ତ୍ବେ ପୋଲାଭରମ ପାଇଁ କେନ୍ଦ୍ର ତତ୍ପର

ଅଗ୍ରଗତିର ତଦାରଖ କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ : ଓଡ଼ିଶାର ପ୍ରବଳ ବିରୋଧ ସତ୍ତ୍ବେ ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ କାମକୁ ଶେଷ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ପୋଲାଭରମ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡିଙ୍କ ସହିତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ। ପ୍ରକଳ୍ପ କାର୍ଯ୍ୟକୁ ‌ଶେଷ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସାହାଯ୍ୟ ଓ ସହ‌ଯୋଗ ପ୍ରଦାନ କରାଯିବ ବୋଲି ଏହି ଅବସରରେ ଶ୍ରୀ ଶେଖାୱତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡିଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।

ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ କେନ୍ଦ୍ରର ପ୍ରତିବଦ୍ଧତା ଥିବା ଆଲୋଚନା କାଳରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ଶେଖାୱତ କହିଥିଲେ। ଶ୍ରୀ ଶେଖାୱତ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକଳ୍ପର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବା ଓ ନିର୍ମାଣର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇସାରିଛନ୍ତି। ରାଜ୍ୟ ସରକାରଙ୍କ ସହ ମିଶି କେନ୍ଦ୍ର ସରକାର ବର୍ଷକ ମଧ୍ୟରେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେ‌ଷ କରିବା ପାଇଁ ପ୍ରୟାସ କରୁଛନ୍ତି ବୋଲି ସେ କହିଥିଲେ। ଅପରପ‌େକ୍ଷ କେନ୍ଦ୍ର ମନ୍ତ୍ରୀଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି କହିଲେ, ପୋଲାଭରମ ପ୍ରକଳ୍ପ ଆନ୍ଧ୍ର ପ୍ରଦେଶ ପାଇଁ ଜୀବନ ରେଖା ଭଳି। ଏହା ଶୀଘ୍ର କାର୍ଯ୍ୟକାରୀ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମେ ପୋଲାଭରମ ପ୍ରକଳ୍ପର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ନିକଟରେ ପ୍ରକଳ୍ପ ନିର୍ମାଣ ଉପରେ ଲାଗିଥିବା ରୋକ ନିର୍ଦ୍ଦେଶକୁ ଦୁଇବର୍ଷ ପର୍ଯ୍ୟନ୍ତ ହଟାଇ ଦେଇଛନ୍ତି। ଏହା ସହ ପ୍ରକଳ୍ପ ନିର୍ମାଣ ଅନୁମତିକୁ ଦୁଇ ବର୍ଷ ବଢ଼ାଇ ମଧ୍ୟ ଦେଇଛନ୍ତି। ଓଡ଼ିଶାର ବୃହତ୍ତର ସ୍ବାର୍ଥକୁ ଅଣଦେଖା କରି ଆନ୍ଧ୍ରପ୍ରଦେଶ ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବା ଅଭିଯୋଗ ରହିଛି। ପ୍ରକଳ୍ପ କାର୍ଯ୍ୟ ବନ୍ଦ ନ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ରହୁଥିବା ଆଦିମ ଆଦିବାସୀମାନେ ପ୍ରଭାବିତ ହେବେ ବୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର