ବାରିପଦା : କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ସଂସଦୀୟ କ୍ଷେତ୍ରକୁ ଗସ୍ତ କରିଛନ୍ତି ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ। ଆଉ ପ୍ରଥମରୁ ହିଁ ରାଜ୍ୟ ସରକାର ଓ ବିଜେଡି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରି ରାଜ୍ୟ ସରକାର ବାହାବା ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି। ଦରକାର ପଡ଼ିଲେ ମୟୂରଭଞ୍ଜରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରୁ ଲାଭ ନେବାକୁ ଚେଷ୍ଟା କରୁଥିବା ରାଜ୍ୟ ସରକାରଙ୍କୁ ସାବାଡ୍ କରାଯିବ। ଜିଲ୍ଲାରେ ଏନେଇ ଲାଗିଥିବା ବିଭିନ୍ନ ହୋର୍ଡିଂ, ନାମଫଳକ ଆଦିକୁ ଡ୍ରୋଜର୍ ଲଗାଇ ଉପାଡ଼ି ଫୋପାଡ଼ି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ବିଶ୍ବେଶ୍ବର। ଜଳ ଜୀବନ ମିସନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରାୟ ୩୩୨୩ କୋଟି ଯୋଗାଇ ଦେଇଛନ୍ତି। ମାତ୍ର ବିଜ୍ଞାପନ ଆଦିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁଛି। ରାଜ୍ୟ ସରକାରଙ୍କ ଏପରି ଅପପ୍ରଚାରକୁ ଆଉ ସହ୍ୟ କରାଯିବ ନାହିଁ। ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ଚେତାଇ ଦିଆଯିବ। ସେ କେନ୍ଦ୍ରରେ ମନ୍ତ୍ରୀପଦ ପାଇବା ପରେ ବିଜେଡି ଭୟଭୀତ ହୋଇପଡ଼ିଛି। କାରଣ ମୟୂରଭଞ୍ଜରେ ବିଜେଡିର ସତ୍ତା ନାହିଁ। ତେଣୁ ରାଜନୀତି ନାଁରେ ବିଜେଡି ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଅନୁପସ୍ଥିତିରେ ହିଁ ବିଜେଡି ବିଜେପିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କହି ତାତ୍ସଲ୍ୟ କରିଛନ୍ତି ବିଶ୍ବେଶ୍ବର। ବିଜେପିରୁ ୧୫ଜଣ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଇସ୍ତଫା ଦେବା ପ୍ରସଙ୍ଗକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଉ ଏହି ଘଟଣାରେ ସିଧାସଳଖ ବିଜେଡିକୁ ଘେରିଛନ୍ତି। ତେବେ ବିଜେପି ସବୁବେଳେ ଏକାଠି ଥିଲା ଓ ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶାନ୍ତ ସ୍ବଭାବର ବିଶ୍ବେଶ୍ବରଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଜିଲ୍ଲା ରାଜନୀତିକୁ ସରଗରମ କରିଦେଇଛି।
କେନ୍ଦ୍ରମନ୍ତ୍ରୀଙ୍କ ଧମକ: ରାଜ୍ୟ ହୋର୍ଡିଂ ଫୋପାଡ଼ି ଦିଆଯିବ
କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ ଉପରେ ରୋକ୍ ଲାଗିବ
/sambad/media/post_attachments/wp-content/uploads/2021/09/b1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)