ଭଦ୍ରକ/ଆରଡି/ଧାମନଗର/ଅସୁରାଳି: ରାଜନୀତିକୁ ଓହ୍ଲାଇଲା ପରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସିଧାସଳଖ ବିରୋଧୀଙ୍କ ପ୍ରତି ଆକ୍ରମଣାତ୍ମକ ଭୂମିକା ନେଉଛନ୍ତି। ଆଜି ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳି ଠାରେ ଆୟୋଜିତ ବିଜେଡିର ଏକ ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ୧୧ ମାସ ତଳେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଯିଏ ଧରିଥିଲେ ସେ ପ୍ରଚାର ବେଳେ ପାଞ୍ଚ ଥର ଧାମନଗର ଆସି ଶତାଧିକ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନରେ ତାଙ୍କ ପ୍ରାର୍ଥୀ ଜିତିଲେ। କିନ୍ତୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖାଦର୍ଶନ ନାହିଁ। ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସି ନାହାନ୍ତି। ଏଥିରୁ ଭୋଟ୍ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟ ହୋଇଯାଇଛି। ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ଜିତିଲା ସତ, କିନ୍ତୁ ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ବାସ ହରାଇଲେ।
ଶ୍ରୀ ପାଣ୍ଡିଆନ ଆହୁରି କହିଥିଲେ, ଧାମନଗରର ଉନ୍ନତି ପାଇଁ ଯାହା ଆବଶ୍ୟକ ତାହା କରିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି। ସାଢ଼େ ଚାରି କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର। ଜୁନ୍ ୧୨ ତାରିଖରେ ଧାମନଗର ଆସି ଲୋକଙ୍କଠାରୁ ପ୍ରସ୍ତାବ, ଅଭିଯୋଗ ଗ୍ରହଣ କରିଥିଲେ। ଜୁନ୍ ମାସରୁ ଆଜି ମଧ୍ୟରେ ଧାମନଗର ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଖୁବ୍ ଶୀଘ୍ର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଆରମ୍ଭ ହେବ।
ଭଦ୍ରକ ନେହରୁ ଷ୍ଟାଡିୟମ୍ରେ ଆୟୋଜିତ ଆଉ ଏକ ସଭାରେ ଉଦ୍ବୋଧନ ଦେଇ ୫-ଟି ଅଧ୍ୟକ୍ଷ କହିଲେ, ଓଡ଼ିଶାରେ ସବୁ କ୍ଷେତ୍ରରେ ରୂପାନ୍ତରଣ ଚାଲିଛି। ଏହା ଦେଖି ବିରୋଧୀଙ୍କ ନିଦ ହଜିଯାଇଛି। ଅପପ୍ରଚାର ସେମାନଙ୍କ ଏକମାତ୍ର ଅସ୍ତ୍ର। ସେମାନେ ବିକାଶ ଉପରେ ବିଲ୍କୁଲ୍ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗରିବଙ୍କ ମୁହଁରେ ହସ ଫୁଟାଇବାକୁ ଉଦ୍ୟମ କରୁଛନ୍ତି। ଗତ ୫ ମାସ ଭିତରେ ଭଦ୍ରକ ଜିଲ୍ଲାର ଅନେକ ଅଭିଯୋଗର ସମାଧାନ ହୋଇଛି। ୫ ମାସରେ ଭଦ୍ରକ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଯେଉଁ ଟଙ୍କା ଆସିବ, ତାହାକୁ ସ୍ବଚ୍ଛତାର ସହ କାମରେ ଲଗାଇବାକୁ ସେ ପରାମର୍ଶ ଦେଇଥିଲେ। ଆଗାମୀ ନିର୍ବାଚନରେ ଦଳର ସଫଳତା ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଆରଡି ବାଇପାସ୍ ରୋଡ୍ରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ମଞ୍ଜୁର ହୋଇଥିବା ଅର୍ଥରାଶି ସମ୍ପର୍କରେ ସେ ସୂଚନା ଦେଇଥିଲେ। ସମାବେଶରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ସକାଳେ ଶ୍ରୀ ପାଣ୍ଡିଆନ ହେଲିକପ୍ଟର୍ ଯୋଗେ ଆସି ଆରଡିସ୍ଥିତ ମୁଆଁଘାଟରେ ପହଞ୍ଚିଥିଲେ। ସେଠାରୁ ଆଖଣ୍ଡଳମଣି ଶୈବପୀଠକୁ ଯାଇ ୪୮ କୋଟି ଟଙ୍କାରେ ଚାଲିଥିବା ପୀଠର ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହା ସହ ୮୯୩ କୋଟି ଟଙ୍କାର ଚାନ୍ଦବାଲି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ୧୦୦ କୋଟି ଟଙ୍କାର ଭଦ୍ରକ ରିଂ-ରୋଡ୍ ପ୍ରକଳ୍ପ, ୪୮୦ କୋଟି ଟଙ୍କାର ଆଖୁଆପଦା ସମନ୍ୱିତ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, ୧୬୪ କୋଟି ଟଙ୍କାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜର ୧୦୦ ଶଯ୍ୟା ବିଶିଷ୍ଟ ସୁପର୍ ସ୍ପେସାଲିଟି ହସ୍ପିଟାଲ୍ ପ୍ରକଳ୍ପ, ୪୭ କୋଟି ଟଙ୍କା​ର ବାସୁଦେବପୁର ଚୁଡ଼ାମଣି ବନ୍ଦର ପ୍ରକଳ୍ପ, ୨୭ କୋଟି ଟଙ୍କାର ଧାମରା ଜେଟି ଉନ୍ନତୀକରଣ ପ୍ରକଳ୍ପ, ୮୦ କୋଟି ଟଙ୍କାର ଚାନ୍ଦବାଲି ଧାନକଣିଆ ସାଳନ୍ଦି ନଦୀ ସେତୁ ପ୍ରକଳ୍ପ, ୫୨ କୋଟି ଟଙ୍କାର ଚାନ୍ଦବାଲି ପଞ୍ଚୁଟିକିରି ମନ୍ତେଇ ନଦୀ ଉପରେ ସେତୁ ପ୍ରକଳ୍ପ ଓ ଭଣ୍ଡାରିପୋଖରୀ କେନ୍ଦୁଆପଦାଠାରେ ରେଳ ଓଭର୍ବ୍ରିଜ୍ ନିର୍ମାଣ ପ୍ରକଳ୍ପର ସମୀକ୍ଷା କରିଥିଲେ। ସମସ୍ତ କାମ ତୁରନ୍ତ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/fshfshfhfff-1.jpg)