ହାଟଡିହି : ପେନସନ ପ୍ରାପ୍ୟରୁ ୨୭ ଲକ୍ଷ ଟଙ୍କା ଖର୍ଚ୍ଚକରି ସାଳନ୍ଦୀ ନଦୀ ଉପରେ ନିର୍ମାଣ କରିଥିବା ପୋଲ ଓ ସଂଯୋଗୀକରଣ ରାସ୍ତାକୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି। ଅନେକ ସରକାରୀ କାର୍ଯ୍ୟକ୍ରମରେ ପୋଲ, କୋଠାବାଡି ଉଦ୍ଘାଟନ କରିଥିଲି । କିନ୍ତୁ ଜଣେ ସାଧାରଣ ବ୍ୟକ୍ତିଙ୍କ ଦ୍ୱାରା ଏକ ନଦୀ ଉପରେ ନିର୍ମାଣାଧୀନ ପୋଲକୁ ଉଦ୍ଘାଟନ କରିବା ତାଙ୍କ ପାଇଁ ପ୍ରଥମ ଘଟଣା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ପ୍ରକାଶ କରିଛନ୍ତି। ଏପରି ଜଣେ ବିରଳ ବ୍ୟକ୍ତିତ୍ୱ ସମଗ୍ର ଭାରତବର୍ଷ ପାଇଁ ପ୍ରଥମ ବୋଲି ସେ କହିଛନ୍ତି।
ଅବସରପ୍ରାପ୍ତ ଶିକ୍ଷାବିତ ବୃନ୍ଦାବନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଜେପି ନେତା ଆଲୋକ ସେଠୀ, ନମାମୀ ଗଙ୍ଗେର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ବରିଷ୍ଠନେତା ଭଗବାନ ସାହୁ, ବିଜୟ କୁମାର ରାଉତ, ଜିଲ୍ଲା ପରିଷଦ ସଦସ୍ୟ ଟିକି କିସ୍କୁ, ବାଙ୍ଗୋର ପଞ୍ଚାୟତର ସମିତିସଭ୍ୟ ବିବେକାନନ୍ଦ ରାଉତ, ସାଳନ୍ଦୀ ପୋଲ ନିର୍ମାଣର କର୍ଣ୍ଣଧାର ଅଧ୍ୟାପକ ନବ କିଶୋର ବେହେରା ପ୍ରମୁଖ ଯୋଗଦେଇ ଗଙ୍ଗାଧରଙ୍କୁ କାନପୁରର ବାଇମୁଣ୍ଡି ବୋଲି ଅଭିହିତ କରିଥିଲେ। ତାଙ୍କର ଏପରି ମହତ ସମାଜସେବା ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରନ୍ତୁ ବୋଲି ଦାବି ଜଣାଇଥିଲେ।
କାନପୁର ଗାଁର ଉତ୍ତର ପଟେ ନିୟମିତ ଭୂସ୍ଖଳନ ହେଉଥିବା ଯୋଗୁଁ ଗାଁର ୨୦ରୁ ଊର୍ଦ୍ଧ୍ବ ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ନଦୀର ଉତ୍ତରପଟେ ଏକ ପଥର ବନ୍ଧ ନିର୍ମାଣ କରିବା ସହିତ ଆଉ ଏକ ପୋଲ ନିର୍ମାଣ କରିବାକୁ ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପିତ କରିଥିଲେ। କାନପୁର ଗାଁର ଗୋପବନ୍ଧୁ ସାଜିଥିବା ଗଙ୍ଗାଧର ରାଉତଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଂଜନ ସାମନ୍ତ ସିଂହାର ମଞ୍ଚ ସଂଯୋଜନା କରିଥିଲେ।
୧୦ବର୍ଷ ମଧ୍ୟରେ ହାଟଡିହି ବ୍ଲକକୁ କୌଣସି କେନ୍ଦ୍ରମନ୍ତ୍ରୀଙ୍କ ଏହା ପ୍ରଥମଗସ୍ତ ହୋଇଥିବାରୁ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। କର୍ମୀମାନେ ଆନନ୍ଦପୁର ନିକଟରୁ ମନ୍ତ୍ରୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଫକୀରପୁର, ତରତରା, ବଞ୍ଚୋ, ଛେନାପଦି, ହାଟଡିହି, ମରୈଗାଁ, ଜମ୍ଭୀରା, ସଢ଼ା, ବିଦ୍ୟାଧରପୁର, ସୋସୋ ଆଦି ଗାଁ ଦେଇ କାନପୁର ଗାଁ ନିକଟକୁ ପାଛୋଟି ନେଇଥିଲେ। ଏଥିରେ ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ଯଜ୍ଞପ୍ରସାଦ, ମଧୁସୂଦନ ରାଉତ, ହରମୋହନ ଶାସିନି, ସୁଶାନ୍ତ ଜେନା, ଟୁକୁନା ମହାନ୍ତ, ଯୁଧିଷ୍ଠିର ମଲ୍ଲିକ, ଅଧର ବେହେରା, ଆଲୋକ ଦାଶ, ମିନତି ମହାପାତ୍ର, ଦୀପ୍ତିମୟୀ ଖୁଣ୍ଟିଆ, ଜିଲ୍ଲା ସମ୍ପାଦକ ଦୀପକ ଜେନା, ଶଶିକାନ୍ତ ରାଉତ, ବଳଭଦ୍ର ବାରିକ, କୈଳାସ ସାମଲ, ଆନନ୍ଦପୁର ନଗର ସଭାପତି ପ୍ରଶାନ୍ତ ମହାପାତ୍ର, ପ୍ରଫୁଲ ନାୟକ, ମଣିଚରଣ ଦାଶ, ଟୁଲୁ ସେନଙ୍କ ସମେତ ଶତାଧିକ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ ।