ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଗୋଣ୍ଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବାବେଳେ ଟ୍ରେନ୍‌ରୁ ହଠାତ୍‌ ଗାଏବ ହୋଇ ଆହତ ହେବା ଜାତୀୟସ୍ତରରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବିଭିନ୍ନ  ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ରୋଚକ ତଥ୍ୟ ସାମନାକୁ ଆସିଛି। ଦିଲ୍ଲୀର ହଜରତ ନିଜାମୁଦ୍ଦିନ ରେଲୱେ ‌ଷ୍ଟେସନରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଶନିବାର ରାତିରେ ଟ୍ରେନ୍‌ ଚଢ଼ିଥିଲେ। ରବିବାର ଭୋର ୩ଟା ୪୫ରେ ମଧ୍ୟପ୍ରଦେଶର ଦାମୋହ ‌ଷ୍ଟେସନରୁ ନିଜ ସିଟ୍‌ରୁ ଅଚାନକ ଅନ୍ତର୍ଦ୍ଧାନ ହୋଇଯିବା ପରେ ରେଳ ବିଭାଗ ପକ୍ଷରୁ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଦିଆଗଲା। ପ୍ରାୟ ୩ ଘଣ୍ଟାର ଖୋଜାଖୋଜି ପରେ ତାଙ୍କୁ ସିହୋରା ‌ଷ୍ଟେସନରେ ସଂପର୍କକ୍ରାନ୍ତି ଏକ୍ସପ୍ରେସରେ ବସିଥିବା ଦେଖିବାକୁ ମିଳିଥିଲା। ଆଉ କେନ୍ଦ୍ରମନ୍ତ୍ରୀଙ୍କ ହାତରେ ଆଘାତ ଲାଗିଥିଲା। ପ୍ରକାଶିତ ରିପୋର୍ଟ ଅନୁସାରେ ରବିବାର ପ୍ରାତଃ ୩ଟା ୪୫ରେ ଟ୍ରେନ ଦାମହୋ ଷ୍ଟେସନରେ ପହଞ୍ଚିଥିଲା। ଦାମହୋ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ଶର୍କରା ସ୍ତର କମି ଯାଇଥିବା ସେ ଅନୁଭବ କରିଥିଲେ ଯେଉଁଥି ପାଇଁ  ସେ କିଛି ଖାଇବା ଲାଗି ଟ୍ରେନରୁ ଓହ୍ଲାଇଥିଲେ। ସେହି ସମୟରେ ଟ୍ରେନ ଚାଲିବା ଆରମ୍ଭ କରିଦେଇଥିଲା। ଚଳନ୍ତା ଟ୍ରେନରେ ମନ୍ତ୍ରୀ ଚଢ଼ିବା ପାଇଁ ପ୍ରୟାସ କଲେ। ହେଲେ ଚଢ଼ୁ ଚଢ଼ୁ ମନ୍ତ୍ରୀଙ୍କ ପାଦ ଖସି ଯାଇଥିଲା। ସେ ପ୍ଲାଟଫର୍ମରେ ପଡ଼ିଯାଇଥିଲେ। ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା।  

Advertisment

ରିପୋର୍ଟରେ ରେଲୱେର ଜଣେ ଅଧିକାରୀଙ୍କ ସୂତ୍ର ଅନୁସାରେ ଯେତେବେଳେ ଗୋଣ୍ଡୱାନା ଏକ୍ସପ୍ରେସ ଷ୍ଟେସନରୁ ଛାଡ଼ି ଦେଇଥିଲା ସତେବେଳେ ଅନ୍ୟ ପ୍ଲାଟଫର୍ମରେ ସଂପର୍କକ୍ରାନ୍ତି ଏକ୍ସପ୍ରେସ ଆସୁଥିବା ମନ୍ତ୍ରୀ ଶ୍ରୀ ଓରାମ ଦେଖିଥିଲେ। ଏହାପରେ ସେ ସଂପର୍କକ୍ରାନ୍ତି ଏକ୍ସପ୍ରେସ ଟ୍ରେନ୍‌ରେ ଚଢ଼ିଯାଇଥିଲେ। ଯେତେବେଳେ ତାଙ୍କ ଷ୍ଟାଫ ଗୋଣ୍ଡୱାନା ଏକ୍ସପ୍ରେସରେ ତାଙ୍କର ବର୍ଥ ଖାଲିଥିବା ଦେଖିଲେ ଟ୍ରେନରେ ଚହଳ ପଡ଼ିଯାଇଥିଲା। ଯେମିତି ଏହାର ସୂଚନା ରେଲୱେକୁ ମିଳିଲା ଷ୍ଟାଫଙ୍କୁ ଆଲର୍ଟ କରିଦିଆଗଲା। ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ ଓ ଟ୍ରାକ୍‌ରେ ସର୍ଚ୍ଚ ଅଭିଯାନ ଚାଲିଥିଲା। ସକାଳ ୭ଟା ସମୟରେ ସିହୋରା ଷ୍ଟେସନ(ଜବଲପୁରର)ରେ ସଂପର୍କକ୍ରାନ୍ତି ଏକ୍ସପ୍ରେସର କୋଚ୍‌ ବି-୩ରେ ଜୁଏଲଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଗଲା ଏବଂ ପରେ ଜବଲପୁର ଅଣାଗଲା। ଜବଲପୁର ଅଣାଯିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ବୋଲି ଜାତୀୟ ଗଣମାଧ୍ୟମର ଖବରରେ  କୁହାଯାଇଛି। 

ଅନ୍ୟପକ୍ଷେ, ଏଭଳି ଚର୍ଚ୍ଚାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଖଣ୍ଡନ କରିଛନ୍ତି। ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଶ୍ରୀ ଓରାମ ପ୍ରତିକ୍ରିୟା ରଖି କହିଛନ୍ତି ରବିବାର ସେ ମାଣ୍ଡଲା, ଜବଲପୁରରେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଗତକାଲି ରାତିରେ ଦିଲ୍ଲୀ ଫେରିଛନ୍ତି। ଆଜି ସେ ମନ୍ତ୍ରାଳୟରେ ଚଳିତବର୍ଷର ପ୍ରକଳ୍ପ ଓ ଯୋଜନାଗୁଡ଼ିକୁ ଚୂଡ଼ାନ୍ତ କରିବା ପାଇଁ ଅଧିକାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସେ ସଂପୂର୍ଣ୍ଣ ସୁସ୍ଥ ଓ ନିଜ କାମ ପାଇଁ ସମର୍ପିତ ଅଛନ୍ତି। ଯେଉଁସବୁ ଗୁଜବ ପ୍ରଚାର କରାଯାଉଛି ତାହା ସଂପୂର୍ଣ୍ଣ ଭିତ୍ତିହୀନ। ମିଥ୍ୟା ଖବର ପରିବର୍ତ୍ତେ ସମସ୍ତଙ୍କୁ ସତ୍ୟ ଆଧାରିତ ତଥ୍ୟ ଉପରେ ଧ୍ୟାନ ଦେବା ପାଇଁ ସେ ଅନୁରୋଧ କରିଛନ୍ତି।