ରାଉରକେଲା: କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ୍ ବାର୍ଲା ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ବିଶପ୍ ଓ ଚର୍ଚ୍ଚମୁଖ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି। ଜିଲ୍ଲାରେ ବେଶ୍ ଆଖିଦୃଶିଆ ଖ୍ରୀଷ୍ଟିୟାନ ଭୋଟର୍ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଗସ୍ତରେ ଅାସିଥିବା ଚର୍ଚ୍ଚା ହେଉଛି, ଯଦିଓ ବିଜେପି ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। କେନ୍ଦ୍ରମନ୍ତ୍ରୀ ଶ୍ରୀ ବାର୍ଲା ଆଜି ମଧ୍ୟାହ୍ନରେ ବିମାନରେ ଭୁବନେଶ୍ବରରୁ ବାହାରି ପ୍ରାୟ ଅଢ଼େଇଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ଏହାପରେ କେନ୍ଦ୍ରମନ୍ତ୍ରୀ ହୋଟେଲ ମେ’ଫେୟାର ହକି ଭିଲେଜ୍ ଯାଇଥିଲେ। ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ରାଉରକେଲା ଓ ରଘୁନାଥପାଲି ନିର୍ବାଚନମଣ୍ଡଳୀର ସଂଖ୍ୟାଲଘୁ ସଂପ୍ରଦାୟ, ବିଶେଷକରି ବିଶପ୍, ଫାଦର୍ ତଥା ଚର୍ଚ୍ଚର ପ୍ରମୁଖ ନେତାଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘସମୟ ଧରି ଏହି ବୈଠକ ଚାଲିଥିଲା। ବୈଠକ ଶେଷହେବାପରେ ମନ୍ତ୍ରୀ ହମିରପୁରସ୍ଥ ବିଶପ୍ଙ୍କ ବାସଗୃହକୁ ଯାଇ ସାକ୍ଷାତାଲୋଚନା କରିଥିଲେ।
ଆସନ୍ତାକାଲି ମଧ୍ୟ କେନ୍ଦ୍ରମନ୍ତ୍ରୀ ଜିଲ୍ଲାର ଏକାଧିକ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ସହ ଆଲୋଚନାରେ ଭାଗନେବେ। ରାଜଗାଙ୍ଗପୁରସ୍ଥ ଜିଇଏଲ୍ ଚର୍ଚ୍ଚ ବିଶପ୍ଙ୍କୁ ସୌଜନ୍ୟମୂଳକ ସାକ୍ଷାତକରିବା ସହିତ ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଚର୍ଚ୍ଚର ନେତାଙ୍କ ସହ ବୈଠକରେ ଯୋଗଦେବେ। ଏଥିସହିତ, ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଆରମୁଣ୍ଡା ବ୍ଲକ୍ ଜୟଡେଗାଠାରେ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବେ। ଏଠାରେ ଭୋଟଗ୍ରହଣ ଠିକ୍ ମାସେ ରହିଥିବା ବେଳେ ଏହାପୂର୍ବରୁ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୧ ଜନସଂଖ୍ୟା ଅନୁସାରେ ଜିଲ୍ଲାରେ ସର୍ବାଧିକ ୭୩.୨୦% ହିନ୍ଦୁ ଧର୍ମାବଲମ୍ବୀ ଥିବାବେଳେ ଖ୍ରୀଷ୍ଟିୟାନ ୧୮.୩୯%, ମୁସଲମାନ ୩.୪୧%, ଶିଖ୍ ୦.୨୭%, ବୌଦ୍ଧ ଧର୍ମାବଳମ୍ବୀ ୦.୦୩%, ଜୈନ୍ ୦.୦୩% ଓ ଅନ୍ୟାନ୍ୟ ୪.୩୦ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/sfhfhsfhhff.jpg)