ସମୁଦ୍ର ପଞ୍ଜୁରିରେ ହେବ ମାଛଚାଷ, ବାହାବଳପୁରରେ ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ବର : ରବିବାର ପୂର୍ବାହ୍ନରେ ବାଲେଶ୍ବର ଜିଲ୍ଲା ବାହାବଳପୁର ଠାରେ ମେରାଇନ କେଜ୍ କଲଚର(ସମୁଦ୍ରରେ ପଞ୍ଜୁରି ଭିତରେ ମାଛ ଚାଷ)ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଗଭୀର ସମୁଦ୍ରରେ ଅତ୍ୟାଧୁନିକ ମେରାଇନ କେଜ୍ କଲଚର ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ କରାଗଲେ ଏହା ବେଶ୍ ଲାଭଦାୟକ ହେବା ସହ ରାଜ୍ୟ ଓ ଦେଶର ଅର୍ଥନୈତିକ ପ୍ରଗତିରେ ସହାୟକ ହୋଇପାରିବ।

ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ, ଜାତୀୟ ମତ୍ସ୍ୟ ବିକାଶ ବୋର୍ଡର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ସି. ସୁବର୍ଣ୍ଣା, ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ଯୁଗ୍ମ ସଚିବ ଡ. ଜେ. ବାଲାଜୀ, ସାଗର ମେହେରା, ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ବାହାବଳପୁର ଜିଲ୍ଲା ପରିଷଦ ସଦସ୍ୟା ସୁମତି ନାୟକ, ସରପଞ୍ଚ ରଶ୍ମିତା ମଣ୍ତଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସଭା ଛାଡ଼ି ଚାଲିଗଲେ ବିଧାୟକ
ବାଲେଶ୍ବର :ସଦର ବ୍ଲକ ବାହାବଳପୁର ଠାରେ ଆଜି ଡିପ୍‌ ମେରାଇନ କେଜ୍ କଲଚର(ଗଭୀର ସମୁଦ୍ରରେ ମାଛଚାଷ) ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉତ୍ତେଜନା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ମଝିରୁ ସଦର ବିଧାୟକ ସ୍ବରୂପ କୁମାର ଦାସ ଚାଲି ଯାଇଥିଲେ। ତେବେ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ତାଙ୍କୁ ବୁଝାଇଥିଲେ ମଧ୍ୟ ସେ ଅସନ୍ତୁଷ୍ଟ ହୋଇ ସ୍ଥାନ ଛାଡ଼ି ଚାଲିଯାଇଥିବା ଦେଖିବାକୁ ମିଳିଥିଲା।

ଏନେଇ ବିଧାୟକ ଶ୍ରୀ ଦାସଙ୍କୁ ପଚାରିବାରୁ ସେ କହିଥିଲେ, ଓଡ଼ିଶାରେ ବିଶେଷ କରି ବାଲେଶ୍ବରରେ ଭାରତ ସରକାରଙ୍କ ଦ୍ବାରା ଗଭୀର ସମୁଦ୍ରରେ ମାଛଚାଷ ପ୍ରକଳ୍ପ ଏକ ନୂଆ ପ୍ରକଳ୍ପ। କିନ୍ତୁ ଏଭଳି ସରକାରୀ କାର୍ଯ୍ୟକ୍ରମକୁ ଦଳଭିତ୍ତିକ କରାଯାଇ ବ୍ୟାନରରେ କେବଳ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ରଖି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅଣଦେଖା କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ରହିଥିବା ସତ୍ତ୍ବେ ତାଙ୍କୁ ଅଣଦେଖା କରାଯାଇଥିବାରୁ ତାଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ସଭାରେ ଉପସ୍ଥିତ ନରହିବାକୁ କହିଥିଲେ। ଦଳୀୟ ସମର୍ଥକଙ୍କ ଭାବାବେଗକୁ ସମ୍ମାନ ଦେଇ ସେ ସେଠାରୁ ଚାଲି ଆସିଥିବା କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏ ନେଇ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭାବେ ସରକାରୀ କାର୍ଯ୍ୟକ୍ରମ ଓ ବିଭାଗୀୟ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜନ କରାଯାଇଥିଲା। ତେଣୁ ଏଥିରେ କୌଣସି ରାଜନୀତି ନାହିଁ।

ସମ୍ବନ୍ଧିତ ଖବର