ଭୁବନେଶ୍ୱର : ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ ଓ ଅଷ୍ଟ୍ରେଲିଆର ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଅଷ୍ଟ୍ରେଲିଆର ଶିକ୍ଷାମନ୍ତ୍ରୀ ଆଲେନ୍ ଟଜ୍‌ଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟ ମନ୍ତ୍ରୀ ଉଚ୍ଚଶିକ୍ଷା କ୍ଷେତ୍ର ବିଶେଷ ଭାବେ ଛାତ୍ରଛାତ୍ରୀଙ୍କ ଉଭୟ ଦେଶକୁ ଯାତାୟତ, ଶିକ୍ଷକଙ୍କ ଆଦାନ ପ୍ରଦାନ, ଅଧ୍ୟୟନ, ପାରସ୍ପରିକ ପ୍ରାଥମିକତା କ୍ଷେତ୍ରକୁ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଅଷ୍ଟ୍ରେଲିଆକୁ ଫେରିବା ବିଷୟରେ ଆଲୋଚନା କରିଥିଲେ।

Advertisment

ଅଷ୍ଟ୍ରେଲିଆ ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀ ଅବଗତ କରାଇଥିଲେ। ଭାରତରୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯାଉଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବା ଦିଗରେ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଦେଶର ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଭାରତର ଯୁବପିଢ଼ିଙ୍କ ଆକାଂକ୍ଷା ତଥା ଭବିଷ୍ୟତ ଆବଶ୍ୟକତାକୁ ପୂରଣ କରିବା ସହ ଭାରତକୁ ବିଶ୍ବସ୍ତରରେ ଅଧିକ ପ୍ରାସଙ୍ଗିକ କରିବାରେ ସହାୟକ ହେବ। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶ ଅଧିକ ସହଯୋଗୀ ହେବା ନେଇ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।