ଛତ୍ରପୁର: କେନ୍ଦ୍ର ମତ୍ସ୍ୟ, ପଶୁ ଏବଂ ଗୋପାଳନ ମନ୍ତ୍ରୀ ପା‌ର୍ଷୋତ୍ତମ ରୁପାଲା ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ‘ସାଗର ପରିକ୍ରମା ପର୍ଯ୍ୟାୟ-୧୧’ର ସମୀକ୍ଷା କରିଛନ୍ତି। ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦର ପରିସରରେ ଥିବା ମତ୍ସ୍ୟ ଜେଟିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ରୁପାଲା କହିଛନ୍ତି, ସାଗର ପରିକ୍ରମା ଗୁଜୁରାଟରୁ ଆରମ୍ଭ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଓଡ଼ିଶା ମାଟିରେ ପହଞ୍ଚିଛି। ମତ୍ସ୍ୟଜୀବୀମାନଙ୍କ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ୍ ଦେଇଆସୁଛନ୍ତି। ଏଣୁ ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ସଂପ୍ରଦାୟର ବ୍ୟକ୍ତିବିଶେଷ ଏବଂ ଅଂଶୀଦାରମାନଙ୍କ ସହ ଯୋଗାଯୋଗ କରି କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ପ୍ରଚାରପ୍ରସାର କରିବା ଏବଂ ମତ୍ସଜ୍ୟବୀଙ୍କ ସମସ୍ୟାକୁ ବୁଝିବା ‘ସାଗର ପରିକ୍ରମା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହାସହ ଆର୍ଯ୍ୟପଲ୍ଲୀରେ ପ୍ରସ୍ତାବିତ ଆଧୁନିକଧରଣର ମାଛଧରା ବନ୍ଦର (ଫିସିଂ ହାର୍ବର୍) ପ୍ରତିଷ୍ଠା ଦିଗରେ ‌ଲାଗିରହିଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ବୋଲି ମନ୍ତ୍ରୀ ଶ୍ରୀ ରୁପାଲା ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଏହି ଅବସରରେ ପ୍ରଗତିଶୀଳ ମତ୍ସ୍ୟଜୀବୀ, ଉପକୂଳ ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀ, ଯୁବ ମତ୍ସ୍ୟ ଉଦ୍ୟୋଗୀ ଏବଂ କିଷାନ୍ କ୍ରେଡିଟ୍ କାର୍ଡ ହିତାଧିକାରୀଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। କୁମାରୀ ଦଳାଇ ଓ ଗୀତାଞ୍ଜଳି ବିଷୋୟୀଙ୍କୁ ୧୫ ଲକ୍ଷ ଟଙ୍କା ସବ୍‌ସିଡି ଏବଂ ଏନ୍.ମଲ୍ଲୀଙ୍କୁ ତାଙ୍କ ସ୍ବାମୀ ଏନ୍.କାଳିଆଙ୍କ ମୃତ୍ୟୁକାଳୀନ ସହାୟତରାଶି ବାବଦରେ ୫ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଥିଲେ। ସେହିପରି ଗୋପାଳପୁରର ମତ୍ସ୍ୟଜୀବୀ ବି.ଗୋପାଳ ଓ ବି.ସୀମାଦ୍ରିଙ୍କୁ ମନ୍ତ୍ରୀ କ୍ରେଡିଟ୍ କାର୍ଡ଼ ପ୍ରଦାନ କରିଥିଲେ।
କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ସବିତା ବେନ୍ ରୁପାଲା, ବିଭାଗୀୟ କେନ୍ଦ୍ର ଯୁଗ୍ମ ସଚିବ ନିତୁ କୁମାରୀ ପ୍ରସାଦ, ଓଡ଼ିଶା ରାଜ୍ୟ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ସିଦ୍ଧିକୁୟି ଆଲାମ୍, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଆଇଟିଡିସିର ଅଧ୍ୟକ୍ଷ ସମ୍ବିତ୍ ପାତ୍ର, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡା.ସୁବାସ ଚନ୍ଦ୍ର ସାହୁ ଓ ଆର୍ଯ୍ୟପଲ୍ଲୀ ସରପ‌ଞ୍ଚ ତ୍ରିଲୋଚନ ବେହେରାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଓଡ଼ିଶା ମତ୍ସ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବଳ ଚନ୍ଦ୍ର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ ଓ ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ ଏନ୍.ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ। ମତ୍ସ୍ୟଜୀବୀମାନେ କିଷାନ୍ କ୍ରେଡିଟ୍ କାର୍ଡ଼ (କେସିସି) ନେବାକୁ ଆସିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ରାଜ୍ୟ ସରକାର ଏବଂ ଜିଲ୍ଲା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।