ବେଲଗୁଣ୍ଠା : ସୋରଡ଼ା ନିର୍ବାଚନମଣ୍ଡଳୀ ଅଧୀନ ବେଲଗୁଣ୍ଠା ବ୍ଲକ୍କୁ ଗୁରୁବାର ଦିନ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋଷ୍ଙ୍କ ଗସ୍ତକୁ ନେଇ ବିଜେପି ଓ ବିଜେଡି ଶିବିରରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ଉଭୟ ଦଳ ମୁହାଁମୁହିଁ ହେବା ସହିତ ବୟାନବାଜି କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଜର୍ଦ୍ଦୋଷ୍ ଆଜି ଗାଙ୍ଗପୁରରେ ପହଞ୍ଚିବା ପରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ଖଇରପୁଟିସ୍ଥିତ ମାସିଦ୍ଧେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବୁଥ୍ସ୍ତରୀୟ ବୈଠକରେ ସେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍ଗାର କରିଥିଲେ। ସେ କହିଥିଲେ, ଓଡ଼ିଶାରେ କେବଳ ମିଛ ସରକାର ଚାଲିଥିବା ବେଳେ କାଗଜକଲମରେ ବିକାଶ ହେଉଛି। କିନ୍ତୁ, ବାସ୍ତବ ଚିତ୍ର ଭିନ୍ନ। ରାଜ୍ୟରେ ଦୁର୍ନୀତି ଓ ଅନିୟମିତତା ବଢ଼ୁଥିବା ବେଳେ ତିଳେ ମାତ୍ର ବିକାଶ ହୋଇପାରୁନି। ଏହାକୁ ଓଡ଼ିଶାବାସୀ ହୃଦୟଙ୍ଗମ କରିସାରିଛନ୍ତି ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଯୁବ ବିଜେଡି ନେତା ପଞ୍ଚାନନ ନାୟକ କହିଛନ୍ତି, ଓଡ଼ିଶାରେ ଏକମାତ୍ର ଦଳ ଭାବେ ବିଜେଡି ଲୋକଙ୍କ ସେବା କରିଆସୁଛି। ଆଉ ବିଜେପି ବିଭିନ୍ନ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଇବାରେ ବ୍ୟସ୍ତ ରହିଛି। କେନ୍ଦ୍ରମନ୍ତ୍ରୀମାନେ କେବଳ ବାହାସ୍ଫୋଟ ମାରୁଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜନୀତି କରିବା ବିଜେପିର ରୀତିମତ ଅଭ୍ୟାସରେ ପରିଣତ ହୋଇଥିବା ସେ କହିଛନ୍ତି। ତେଣୁ କେନ୍ଦ୍ରମନ୍ତ୍ରୀ ପ୍ରଥମେ ଲୋକଙ୍କ ହିତ ପାଇଁ କିଛି କାର୍ଯ୍ୟ କରିବା ସହ ପ୍ରଥମେ ନିଜ ସଂଗଠନ ସଜାଡ଼ନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।