ପାରଳାଖେମୁଣ୍ଡି: ଆଜି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଦୁଇ ଦିନିଆ ଗଜପତି ଗସ୍ତରେ ଆସି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଅନେକ ସମୟ ଧରି ଜିଲ୍ଲାର ଜଳଶକ୍ତି ଯୋଜନା ଉପରେ ଆଲୋଚନା କରିଛନ୍ତି। ବିଭିନ୍ନ ଯୋଜନାଗୁଡ଼ିକ ସଫଳତାର ସହ କାର୍ଯ୍ୟକାରୀ ହେଉଛି ବୋଲି ସେ ସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶରେ ୧୧୪ଟି ଜିଲ୍ଲାକୁ ଚିହ୍ନଟ କରିଛନ୍ତି, ଯେଉଁଠି ବିକାଶର ଚକ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି ବୋଲି ସେ ମନେ କରୁଛନ୍ତି। ସାଧାରଣତଃ, ଜିଲ୍ଲା ଗୁଡ଼ିକରେ ସଚିବ ବା ଯୁଗ୍ମ ସଚିବମାନେ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥା’ନ୍ତି। କିନ୍ତୁ, ଏହି ୧୧୪ଟି ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀମାନେ ନିଜେ ଦାୟିତ୍ୱ ନେଇ ଯୋଜନାର ସମୀକ୍ଷା କରିବେ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ, କେନ୍ଦ୍ର ସରକାରଙ୍କ ନିକଟରେ ଏକ ସଠିକ୍ ରିପୋର୍ଟ ଉପସ୍ଥାପନ ହେବ। ଏଣୁ, ଗଜପତି ଜିଲ୍ଲାରେ ସେ ଦୁଇଦିନ ବିତାଇବା ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିବା ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ବିଭିନ୍ନ ବ୍ଲକ୍ରେ ପାନୀୟ ଜଳ ଯୋଗାଇବା ଦିଗରେ ଯେଉଁ ସବୁ କାର୍ଯ୍ୟକ୍ରମ କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ କହିଛନ୍ତି।
ଗସ୍ତ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/38-17.jpg)