ଓଡ଼ିଶା‌ରେ ଏମ୍‌ସର ଭିତ୍ତିଭୂମି ଏବଂ ଖାଲିପଦ ପୂରଣ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର: ଭୁବନେଶ୍ୱର ଏମ୍‌ସ ଏବଂ ବାଲେଶ୍ୱର ଠାରେ ନିର୍ମାଣାଧୀନ ଅବସ୍ଥାରେ ଥିବା ଏମ୍‌ସ ସାଟେଲାଇଟ ସେଣ୍ଟରର ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।

ରାଜ୍ୟର ସବୁଠୁ ବଡ଼ ମେଡିକାଲ ଭାବେ ମାନ୍ୟତା ପାଇଥିଲେ ବି ଅନେକ ଅବ୍ୟବସ୍ଥା ଏବଂ ଅନେକ ସମସ୍ୟା ଦେଇ ଗତି କରୁଛି ଭୁବନେଶ୍ବର ଏମ୍‌ସ। ଡାକ୍ତର ପଦବୀ ସହ ଅନ୍ୟ ପଦବୀଗୁଡ଼ିକ ମଧ୍ୟ ପୂରଣ କରାଯାଇନାହିଁ। ରାଜ୍ୟରେ ଅଧିକାଂଶ ରୋଗୀ ଏମ୍‌ସ ଉପରେ ନିର୍ଭର କରୁଥିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ପ୍ରବଳ ଭିଡ଼ ହେଉଛି। ଯାହା ଫଳରେ ରୋଗୀମାନେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବାରୁ  ଭିତ୍ତିଭୂମି ନିର୍ମାଣ ଏବଂ ଅଧିକ ପାଣ୍ଠି ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଭେଟି ଆଲୋଚନା କରିବା ସହ ଏକ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।

ସେତିରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ଆରମ୍ଭ ହୋଇଥିବା ୬ଟି ଏମ୍‌ସ ମଧ୍ୟରେ ଏବେ ଭୁବନେଶ୍ବର ଏମ୍‌ସକୁ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଅଧିକ ରୋଗୀ ଆସି ଅପେକ୍ଷା ଦୀର୍ଘ ସମୟ ଯାଏ ଅପେକ୍ଷା କରୁଛନ୍ତି, ଶେଷରେ ଚିକିତ୍ସା ସେବାରୁ ବଞ୍ଚିତ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ଥିବା ଭିତ୍ତିଭୂମି ଉପରେ ଏହାର ପ୍ରଭାବ ପଡ଼ୁଛି। ତେଣୁ ଏଠାରେ ଅଧିକ ଡାକ୍ତରଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ଏବଂ ଅଧିକ ଅର୍ଥର ଆବଶ୍ୟକତା ରହିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଭୁବନେଶ୍ବର ଏମ୍‌ସରେ ଏହି ଅବ୍ୟବସ୍ଥା ପାଇଁ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ କର୍ମଚାରୀ ଅଭାବ ଯୋଗୁଁ କରୋନା ମହାମାରୀ ସମୟରେ ଓପିଡି ବନ୍ଦ ରଖାଯାଇଛି। ଯାହାଫଳରେ ରୋଗୀମାନେ ଘରୋଇ ଡାକ୍ତରଖାନାକୁ ଯାଇ ଅଧିକା ଖର୍ଚ୍ଚାନ୍ତ ହେଉଥିବା ଦେଖାଯାଉଛି। ସେହିପରି ଭୁବନେଶ୍ବର ଏମ୍‌ସର ଏକ ସାଟେଲାଇଟ ସେଣ୍ଟର ବାଲେଶ୍ବର ଏମ୍‌ସର ଅବସ୍ଥା ଏହାଠାରୁ ଅଧିକ ଖରାପ ଅବସ୍ଥାରେ ରହିଛି। ଏଠାରେ ମଧ୍ୟ ଅନେକ ପଦବୀ ଖାଲି ଥିବାରୁ ରୋଗୀଙ୍କ ଚିକିତ୍ସା କରିବା ସହଜ ହୋଇପାରୁନାହିଁ। ଅନେକ ରୋଗୀ ଏଠାକୁ ଆସି ଫେରିବାକୁ ବାଧ୍ୟ ହେଉଛନ୍ତି। ଏହି ଦୁଇ ଏମ୍‌ସର ଖାଲି ପଦ ପୂରଣ ଏବଂ ଅଧିକ ଅର୍ଥ ପାଇଁ ପୂର୍ବରୁ ଡିସେମ୍ବର ୧୦ ତାରିଖରେ ମଧ୍ୟ ଚିଠି ଦେଇଥିବା କହିଛନ୍ତି ଶ୍ରୀ ଷଡ଼ଙ୍ଗୀ। ତେଣୁ ଭୁବନେଶ୍ବର ଏମ୍‌ସ ଏବଂ ବାଲେଶ୍ବର ସାଟେଲାଇଟ ସେଣ୍ଟରର ଭିତ୍ତିଭୂମିର ବିକାଶ କରିବା ସହ ଖାଲିଥିବା ପଦବୀ ପୂରଣ ଏବଂ ଅଧିକ ଅର୍ଥ ପ୍ରଦାନ କରିବା ବାବଦରେ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦାବି ରଖିଛନ୍ତି। ଏସବୁ ଦାବି ବିଷୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଖୁବ୍‌ଶୀଘ୍ର ଏହି ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର