ଆଜି ବି କୋର୍ଟରେ ହାଜର ହେଲେନି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସେପ୍ଟେମ୍ବର ୯କୁ ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର : ଦୁଇଟି ପୁରୁଣା ଆପରାଧିକ ମାମଲାରେ ଛନ୍ଦି ହୋଇପଡ଼ିଥିବା ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ଅଡୁଆ ବଢ଼ିଛି। ଲୋକ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର କୋର୍ଟ ତଥା ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌(୩)ଙ୍କ କୋର୍ଟରେ ଆଜି ତାଙ୍କର ହାଜର ହେବା ପାଇଁ ତାରିଖ ରହିଥିଲେ ମଧ୍ୟ ସେ ଆସିନାହାନ୍ତି। ଲୋକ ପ୍ରତିନିଧି ଭାବରେ ଦାୟିତ୍ବ ବଢ଼ିଥିବାରୁ ଓକିଲଙ୍କ ଜରିଆରେ ସେ କୋର୍ଟଙ୍କୁ ସମୟ ମାଗିଛନ୍ତି। କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୯ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ଗତ ଜୁଲାଇ ୧୫ ତାରିଖରେ ହାଜର ହେବା ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କୁ ସମନ ହୋଇଥିଲା। ହେଲେ ସେ ଲୋକସଭା ଚାଲିଥିବା ଦର୍ଶାଇ ସମୟ ମାଗିଥିଲେ। ତାଙ୍କ ଆବେଦନକୁ ଆଧାର କରି ଆଜି ଶୁଣାଣି ପାଇଁ ତାରିଖ ସ୍ଥିର ହୋଇଥିଲା।

ସୂଚନା ମୁତାବକ, ୨୦୦୪ ମସିହାରେ ବାଲେଶ୍ବର ଜିଲ୍ଲା ଗୋପୀନାଥପୁରରେ ଏକ ବିବାଦ ହୋଇଥିଲା। ସେଠାରେ ଏକ ଗୋଷ୍ଠୀ ପୋଡ଼ାଜଳା କରିଥିଲେ। ପୋଡ଼ାଜଳାରେ ଆଦିବାସୀ ଠାକୁରଙ୍କ ମୂର୍ତ୍ତି ପୋଡ଼ି ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏତଲାରେ ଶ୍ରୀ ଷଡ଼ଙ୍ଗୀଙ୍କ ନାମ ରହିଥିଲା। ସେହିଭଳି ୨୦୧୧ ମସିହାରେ ଏକ ମନ୍ଦିର ଟ୍ରଷ୍ଟ କାର୍ଯ୍ୟକ୍ରମରେ ସେ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ନୀଳଗିରି ଥାନାରେ ଏତଲା ହୋଇଥିଲା। ଏହି ଦୁଇ ଏତଲାକୁ ଆଧାର କରି ବାଲେଶ୍ବର କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ଏବେ ଅଧିକୃତ କୋର୍ଟରେ ଲୋକପ୍ରତିନିଧିଙ୍କ ମାମଲାର ଶୁଣାଣି ହେବା ପାଇଁ ନିଷ୍ପତ୍ତି ହେବାରୁ ଭୁବନେଶ୍ବର ଏଡିଜେ-୩ କୋର୍ଟକୁ ଉଭୟ ମାମଲା ସ୍ଥାନାନ୍ତର ହୋଇଛି। ଏହି ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ସାରିଥିବା ବେଳେ କେବଳ ଶ୍ରୀ ଷଡ଼ଙ୍ଗୀଙ୍କୁ ହିଁ ହାଜର ହେବାକୁ ରହିଛି। ତେବେ କେବଳ ଏହି ଦୁଇଟି ମାମଲା ନୁହେଁ, ନାମାଙ୍କନପତ୍ର ଦାଖଲ ବେଳର ସତ୍ୟପାଠ ମୁତାବକ ତାଙ୍କ ନାମରେ ୭ଟି ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର