କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ସଂସ୍କୃତ ଭାଷଣରେ ପୁଣି କମ୍ପିଲା ସଂସଦ : ‘ସଂସ୍କୃତ ବିନା ଭାରତର କଳ୍ପନା କରିବା ଅସମ୍ଭବ’

ବାଲେଶ୍ବର : ‘ପିତା’ ଶବ୍ଦକୁ ‘ଫାଦର’, ‘ମାତା’ ଶବ୍ଦକୁ ‘ମଦର’, ‘ଭ୍ରାତ‌ା’ ଶବ୍ଦକୁ ‘ବ୍ରଦର’, ‘ମାନବ’ ଶବ୍ଦକୁ ‘ମ୍ୟାନ’ ‘ନାମ’ ଶବ୍ଦକୁ ‘ନେମ୍‌’ ବିଦେଶରେ ବ୍ୟବହାର ହେଉଥିବା ଏମିତି ହଜାର ହଜାର ଶବ୍ଦ ସଂସ୍କୃତ ଶବ୍ଦରୁ ଜାତ ହୋଇଛି। ବିଶ୍ବର ଆଦି ଭାଷା ହେଉଛି ସଂସ୍କୃତ। ପ୍ରମୁଖ ରାଷ୍ଟ୍ରଗୁଡ଼ିକରେ ବ୍ୟବହାର ହେଉଥିବା ଭାଷାଗୁଡ଼ିକ ସଂସ୍କୃତ ଭାଷା ଭଳି। ଗ୍ରୀକ୍‌, ଲାଟିନ୍‌ ଓ ଆଂ‌‌ଗ୍ଲୋ ଭଳି ପାଶ୍ଚାତ୍ୟ ଭାଷା ସହ ଭାରତର ମୂଳଭାଷା ସଂସ୍କୃତର ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ। ତେଣୁ ସଂସ୍କୃତ କେବଳ ଭାରତର ନୁହେଁ, ଏହା ସମଗ୍ର ବିଶ୍ବରେ ପ୍ରଚଳିତ ସମସ୍ତ ଭାଷା‌ର ଜନନୀ ବୋଲି ଦୃଢ଼ସ୍ବରରେ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।

ଗୁରୁବାର ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍‌ ଉପରେ ହୋଇଥିଲା ଆଲୋଚନା। ଏଥିରେ ଅଂଶଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ନିଜର ମତକୁ ସଂସ୍କୃତରେ ରଖିଥିଲେ। ପ୍ରତାପଙ୍କ ସଂସ୍କୃତ ଶ୍ଲୋକ ଓ ଭାଷଣରେ ପୂରା ସଂସଦ କମ୍ପି ଉଠିଥିଲା। ବେଦରୁ ଉପନିଷଦ, କାଶ୍ମୀରରୁ କନ୍ୟାକୁମାରୀ ଯାଏ ବିଭିନ୍ନ ତଥ୍ୟର ଅବତାରଣା କରି ଶ୍ରୀ ଷଡ଼ଙ୍ଗୀ ସଂସ୍କୃତ ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ, ସଂସ୍କୃତ ହେଉଛି ଭାରତର ପ୍ରାଣବିନ୍ଦୁ। ସଂସ୍କୃତ ବିନା ଭାରତବର୍ଷର କଳ୍ପନା କରିବା ଅସମ୍ଭବ। ସବୁ ଭାଷାର କେନ୍ଦ୍ରବିନ୍ଦୁ ସଂସ୍କୃତ, ସବୁ ଭାଷାର ଜନନୀ ସଂସ୍କୃତ। ଏଥିସହ ସମସ୍ତେ ପାଣିନି ବ୍ୟାକରଣ ପଢ଼ିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ ସଂସଦରେ ଆହ୍ୱାନ ଦେଇଥିଲେ। ଏ ପରିପ୍ରେକ୍ଷୀରେ ସଂସ୍କୃତ ଭାଷା ସାରା ବିଶ୍ୱରେ ଗ୍ରହଣୀୟ ବୋଲି ସଂସଦରେ ଶ୍ରୀ ଷଡ଼ଙ୍ଗୀ ଦାବି କରିବା ବେଳେ ଉପସ୍ଥିତ ଅନ୍ୟ ସାଂସଦମାନଙ୍କ ତାଳି ମାଡ଼ରେ ସଂସଦ ଗୃହ କମ୍ପି ଉଠିଥିଲା। ତେବେ ପ୍ରତାପଙ୍କ ମୁହଁରୁ ଅନର୍ଗଳ ସଂସ୍କୃତ ଭାଷଣ ଓ ଶ୍ଳୋକ ବାହାରୁଥିବା ସମୟରେ ପୂରା ସଂସଦ ଏକାଗ୍ରତାର ସହ ତାଙ୍କୁ ଶୁଣୁଥିବା ଦେଖିବାକୁ ମିଳିଥିଲା।

ପ୍ରକାଶଥାଉକି, ଏହା ପୂର୍ବରୁ ମଧ୍ୟ ଶ୍ରୀ ଷଡ଼ଙ୍ଗୀ ସଂସଦରେ ସଂସ୍କୃତରେ ଭାଷଣ ଦେଇ ଚର୍ଚ୍ଚାରେ ରହି ସାରିଛନ୍ତି। ଚଳିତ ବର୍ଷ ମେ ମାସରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ କରିବାକୁ ଯାଇ ସେ ସଂସ୍କୃତରେ ଓଜସ୍ବିନୀ ଭାଷଣ ଦେଇଥିଲେ। ମୋଦୀ ସରକାରଙ୍କ ସଫଳତା ସଂସ୍କୃତ ଭାଷାରେ କହିବା ସହ ଓଡ଼ିଶାର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ବକ୍ସି ଜଗବନ୍ଧୁଙ୍କ ବୀରତ୍ବର ଗାଥାକୁ ସଂସ୍କୃତରେ ଉପସ୍ଥାପନ କରି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ।

ସମ୍ବନ୍ଧିତ ଖବର