ପ୍ରଚଳିତ ଆଇନ୍ ଅନୁଯାୟୀ ଗୋରୁ ଚାଲାଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ଅଛି: କେନ୍ଦ୍ରମନ୍ତ୍ରୀ

ବସ୍ତାରେ ଗୋରୁବୋଝେଇ କଣ୍ଟେନର ଦୁର୍ଘଟଣା ନେଇ ପ୍ରଶାସନ ସହ କଥା ହେଲେ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର: ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀଛକ ନିକଟରେ ପ୍ରାୟ ୨୮ଟି ‘ଗୋମାତା’ଙ୍କ ବେଆଇନ ଚାଲାଣ ସମୟରେ ଏକ ସଡକ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଛନ୍ତି ଏବଂ ୮ରୁ ଅଧିକ ‘ଗୋମାତା’ ଆହତ ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି I ଏହା ଏକା ଅତ୍ୟନ୍ତ ଘୃଣ୍ୟ ଏବଂ ଜଘନ୍ୟ ଅପରାଧ ବୋଲି କହିିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ I

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ମୁଁ ଏହି ଖବର ପାଇବା କ୍ଷଣି ଜିଲ୍ଲାପାଳ, ଏସ୍‌ପି, ଆଇଜି, ଏସ୍‌ଡିପିଓ ଏବଂ ସ୍ଥାନୀୟ ତହସିଲଦାରଙ୍କ ସହ କଥାହେଲି I ବେଆଇନ ଭାବେ ଗୋମାତାଙ୍କୁ ହତ୍ୟା ନିମନ୍ତେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ଚାଲାଣ କରାଯାଇଛି I ବ୍ୟାପକ ଭାବେ ଗୋମାତାଙ୍କ ବେଆଇନ ଚାଲାଣରେ ପ୍ରଶାସନିକ ଶିଥିଳତାର ପ୍ରମୁଖ ଭୂମିକା ରହିଛି I ଜାତୀୟ ରାଜପଥରେ ପୁଲିସର ଆଖି ସାମ୍ନାରେ ବିଭିନ୍ନ ଟୋଲ୍ ଗେଟ୍ ଦେଇ ବେଆଇନ ଗୋରୁ ଚାଲାଣ ହେଉଛି ତଥାପି ପୁଲିସ ପ୍ରଶାସନ ଏହାର ଟେର୍ ପାଉନି, କିନ୍ତୁ ସାଧାରଣ ଜନତା ଏହାର ଖବର ପାଇ ଟ୍ରକ ଅଟକାଇ ପୁଲିସକୁ ଖବର ଦେଇଛନ୍ତି I

ପୁଲିସ ପ୍ରଶାସନକୁ ମୋର ନିବେଦନ ଯଦି ଆପଣଙ୍କ ପାଖେ ଯଥେଷ୍ଟ ପରିମାଣର କର୍ମଚାରୀ ନାହାନ୍ତି ତେବେ ସ୍ଵେଚ୍ଛାସେବୀ ମାନଙ୍କୁ ଏହି ମହତ କାର୍ଯ୍ୟ ନିମନ୍ତେ ଅନୁମତି ପ୍ରଦାନ କରାଯାଉ ବା ପୁଲିସ ପ୍ରଶାସନ ଏବଂ ସ୍ବେଚ୍ଛାସେବୀମାନେ ମିଳିତ ଭାବେ ଏହି କାର୍ଯ୍ୟରେ ନିୟୋଜିତ ହୁଅନ୍ତୁ I ବେଆଇନ ଗୋରୁ ଚାଲାଣ ଭଳି ଏକ ଧର୍ତ୍ତବ୍ୟ ଅପରାଧରେ ଯେଉଁମାନେ ସବୁ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି I

 

ଆମ ଦେଶରେ ଗୋହତ୍ୟା ରୋକିବା ପାଇଁ ପ୍ରଚଳିତ ଆଇନ୍ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି I ରାଜ୍ୟ ସରକାରଙ୍କୁ ମୋର ବିନୀତ ଅନୁରୋଧ ପ୍ରଚଳିତ ଆଇନକୁ ଅଧିକ କଠୋର କରି ଏହାକୁ ମାନବ ହତ୍ୟା ସମାନ ମନେକରି ଦୋଷୀଙ୍କୁ ୧୦ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା କରିବାସହ ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନହେବ ସେଥିପାଇଁ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ I

ସମସ୍ତ ଆହତ ଗୋରୁ ମାନଙ୍କୁ ତୁରନ୍ତ ଗୋଶାଳାରେ ରଖି ସୁସ୍ଥ ହେବ ପର୍ଯ୍ୟନ୍ତ ଉପଯୁକ୍ତ ଚିକିତ୍ସା ଏବଂ ଖାଦ୍ୟପେୟରେ ବ୍ୟବସ୍ଥା କରିବା ପାଇଁ ମୁଁ ପ୍ରଶାସନକୁ ଅନୁରୋଧ କରୁଛି I ରାଜ୍ଯବାସୀଙ୍କୁ ମୋର ନମ୍ର ନିବେଦନ ଏଥିପ୍ରତି ଜାଗୃତ ହୁଅନ୍ତୁ ଗୋମାତାକୁ ସୁରକ୍ଷା ଏବଂ ସମ୍ମାନ ଦିଅନ୍ତୁ I

ଗୋମାତାଙ୍କ ଗୋବରରୁ ପଞ୍ଚବଭ୍ଯ ଉତ୍ପାଦ ହେଉଛି ଏବଂ ଖଦି ଓ ଗ୍ରାମୋଦ୍ୟଗ ଶିଳ୍ପ କମିସନର ପ୍ରଚେଷ୍ଟା ଯୋଗୁଁ ଗୋବର ଦ୍ଵାରା ଗ୍ରାମ ଉଦ୍ୟୋଗ ପ୍ରତିଷ୍ଠା ହେବ ସହ ଏଥିରୁ ରଂଗ ପ୍ରସ୍ତୁତ କରାଯଇ ଲକ୍ଷାଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିପାରିଛି I ଗୋମାତା ସର୍ବଦା ଐଶ୍ଵର୍ଯ୍ୟ ଏବଂ ସୁଖ ପ୍ରଦାୟିନୀ ସୁତରାଂ ଗୋହତ୍ୟା ଏବଂ ଗୋଚାଲାଣକୁ ସମସ୍ତେ ତୀବ୍ର ବିରୋଧ କରନ୍ତୁ ଏବଂ ସଙ୍ଗଠିତ ରୂପରେ ଏହାର ପ୍ରତିବାଦ କରାଯାଉ I

ସମ୍ବନ୍ଧିତ ଖବର