ନବୀନ ଏନ୍‌ଡିଏରେ ସାମିଲ ହୁଅନ୍ତୁ: କେନ୍ଦ୍ର ମନ୍ତ୍ରୀ ଆଠ୍‌ଓ୍ୱାଲେ

ଅଯୋଧ୍ୟାରେ ରାମ ମନ୍ଦିର ପୂର୍ବରୁ ବୁଦ୍ଧ ମନ୍ଦିର ଥିଲା
ରାଜ୍ୟରେ ଦଳିତଙ୍କ ଉପରେ ଅତ୍ୟାଚାର କମିନାହିଁ
ସିଏଏ ଆଦୌ ମୁସଲମାନ ବିରୋଧୀ ନୁହେଁ
ଏଥର ଦିଲ୍ଲୀରେ ବିଜେପି ଜିତିବ

ଭୁବନେଶ୍ବର : ଅଢ଼େଇ ହଜାର ବର୍ଷ ପୂର୍ବେ ସମଗ୍ର ଭାରତ ଉପମହାଦେଶ ଭୂଖଣ୍ଡରେ ବୌଦ୍ଧ ଧର୍ମର ପ୍ରଚଳନ ଥିଲା। ଅଯୋଧ୍ୟାରେ ବାବ୍ରୀ ମସଜିଦ୍‌ ପୂର୍ବରୁ ସେଠାରେ ରାମ ମନ୍ଦିର ଥିବା ନେଇ ପ୍ରମାଣ ମିଳିଥିଲେ ବି ରାମଙ୍କ ପୂର୍ବରୁ ସେଠାରେ ଏକ ଭବ୍ୟ ବୌଦ୍ଧ ମନ୍ଦିର ଥିବାର ପ୍ରମାଣ ରହିଛି। ଏଥିପାଇଁ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଖରେ ଗୋଟିଏ ବୁଦ୍ଧ ମନ୍ଦିର ନିର୍ମାଣ ହେବା ଉଚିତ। ଆଜି ଭୁବନେଶ୍ବର ଆସିଥିବା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ୍‌ ଆଠ୍‌ଵାଲେ ଏପରି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ବୁଦ୍ଧ ମନ୍ଦିର ନିର୍ମାଣ ପାଇଁ ସେ ଖୁବଶୀଘ୍ର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିବେ। ବୁଦ୍ଧ ମନ୍ଦିର ପାଇଁ ୧୫ରୁ ୨୦ ଏକର ଜମି ଯୋଗାଇ ଦେବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରାଯିବ ବୋଲି କହିଛନ୍ତି। ଏହା ବ୍ୟତୀତ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍‌ଡିଏରେ ସାମିଲ ହେବା ଦରକାର ବୋଲି ଶ୍ରୀ ଆଠ୍‌ଵାଲେ ମତ ବ୍ୟକ୍ତ କରିବା ସହିତ ଆଜି ସମ୍ପନ୍ନ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ହିଁ ବିଜୟ ଲାଭ କରିବ ବୋଲି ଭବିଷ୍ୟବାଣୀ କରିଛନ୍ତି।

ଆଜି ରାଜ୍ୟ ଅତିଥି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଠୱାଲେ କହିଲେ, ରାଜ୍ୟରେ ବିଜୁ ଜନତା ଦଳ ସରକାର ଦୀର୍ଘ ଦିନ ହେଲାଣି କ୍ଷମତାରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଭାବେ ୫ ଥର କ୍ଷମତାକୁ ଆସିଲେଣି। କେନ୍ଦ୍ର ସରକାରଙ୍କ ତିନି ତଲାକ୍ ଉଚ୍ଛେଦ, ସିଏଏକୁ ମଧ୍ୟ ବିଜେଡି ସମର୍ଥନ ଦେଇଛି। ଏହା ବହୁତ ଭଲ କଥା। କାରଣ ଅତୀତରେ ବିଜେପି ସହିତ ବିଜେଡି ଏକାଠି ମେଣ୍ଟ ସରକାର କରିଥିଲେ। ଏବେ ଅଲଗା ହୋଇଯାଇଛନ୍ତି। କିନ୍ତୁ ରାଜ୍ୟର ଅଧିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ଦଳ ଏନ୍‌ଡିଏରେ ସାମିଲ ହେବା ଦରକାର ବୋଲି ଶ୍ରୀ ଆଠ୍‌ଵାଲେ ମତ ରଖିଥିଲେ।

ଦଳୀୟ କାର୍ଯ୍ୟରେ ଭୁବନେଶ୍ବର ଆସିଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଆଠ୍‌ଵାଲେ ଶନିବାର ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ବୟନ ନେଇ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ଗତ ୬ବର୍ଷ ଭିତରେ ଏସସି ଓ ଏସ୍‌ଟିଙ୍କ ଉପରେ ଅତ୍ୟାଚାରକୁ ନେଇ ୧୪ ହଜାର ୫୮୦ଟି ମାମଲା ଦରଜ ହୋଇଛି। ଏଥିରୁ ଜଣାପଡ଼ୁଛି ଯେ ରାଜ୍ୟରେ ଦଳିତଙ୍କ ଉପରେ ଅତ୍ୟାଚାର ଏବେ ବି ଜାରି ରହିଛି। ଆଇନରେ କଡ଼ାକଡ଼ି ବ୍ୟବସ୍ଥା ଥିଲେ ବି ଆଜି ବି ଦଳିତଙ୍କ ଉପରେ ଅତ୍ୟାଚାର କମିନି। ସେହିପରି ଜାତିଭେଦ ଦୂର କରିବା ପାଇଁ ଅନ୍ତଃଜାତି ବିବାହ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାର ଏ ନେଇ ପ୍ରତି ଦମ୍ପତିଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଗତ ୬ ବର୍ଷ ଭିତରେ ଓଡ଼ିଶାରେ ୪ ହଜାର ୭୫୫ଟି ଅନ୍ତଃଜାତି ବିବାହ ହୋଇଛି। ଅଧିକାଂଶ କ୍ଷେତ୍ରରେ ଅନ୍ତଃଜାତି ବିବାହ କରୁଥିବା ଦମ୍ପତି ସରକାରଙ୍କୁ ଜଣାଉନାହାନ୍ତି କି ଆର୍ଥିକ ପ୍ରୋତ୍ସାହନ ପାଇଁ ଦାବି କରୁନାହାନ୍ତି। ଆର୍ଥିକ ପ୍ରୋତ୍ସାହନ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ବିବାହ କରିଥିବା ଦମ୍ପତି କାଗଜପତ୍ର ଦାଖଲ କଲେ କେନ୍ଦ୍ର ସରକାର ତୁରନ୍ତ ସେମାନଙ୍କୁ ଅର୍ଥ ପ୍ରଦାନ କରିବେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ବାସଗୃହ ସମ୍ପୂର୍ଣ୍ଣ ହୋଇଥିବା ନେଇ ସୂଚନା ଦେଇ ମନ୍ତ୍ରୀ କହିଥିଲେ, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶି ରାଜ୍ୟରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଘର ସମ୍ପୂର୍ଣ୍ଣ ହୋଇଛି। ସେଥିରୁ ୨ ଲକ୍ଷ ୧୩ ହଜାର ୮୯୦ଟି ବାସଗୃହ ଅନୁସୂଚିତ ଜାତି ବର୍ଗ ଲୋକଙ୍କର। ରାଜ୍ୟରେ ୮୨ ହଜାର ୧୩୦ ଜଣ ଦିବ୍ୟାଙ୍ଗଙ୍କୁ ପେନସନ୍‌ ଯୋଜନାରେ ସାମିଲ କରାଯାଇଛି ।

ଏହି ଅବସରରେ କଂଗ୍ରେସ ଓ ଆପ୍‌ ଦଳକୁ ଟାର୍ଗେଟ୍‌ କରି ମନ୍ତ୍ରୀ କହିଥିଲେ, ସିଏଏ ଓ ଏନ୍‌ଆର୍‌ସିକୁ ନେଇ ଲୋକଙ୍କ ଭିତରେ ବିଭ୍ରାନ୍ତ ସୃଷ୍ଟି କରାଯାଉଛି। ସିଏଏ ଆଦୌ ମୁସଲମାନ ବିରୋଧୀ ନୁହେଁ କି ନାଗରିକତା ହରଣ ଆଇନ ନୁହେଁ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି ଜନମତ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ତାର ଜବାବ୍‌ ଲୋକେ ତାଙ୍କୁ ଦେବେ। କେନ୍ଦ୍ର ସରକାରଙ୍କ ଏନ୍‌ଆର୍‌ସି ଆଇନ କେବଳ ଆସାମ ରାଜ୍ୟ ପାଇଁ ଉଦ୍ଦିଷ୍ଟ। ଏହି ବ୍ୟବସ୍ଥା ଅନ୍ୟ ରାଜ୍ୟ ପାଇଁ ଲାଗୁ ହେବ ନାହିଁ। ୨୦୧୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏନ୍‌ଆରସି ପ୍ରଚଳନ କରିବାକୁ ଯୋଜନା କରିଥିଲେ। ପଛୁଆ ବର୍ଗଙ୍କ ବିକାଶ ପାଇଁ ୨୦୨୧ ଜନଗଣନାରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ନେଇ ରାଜ୍ୟ ସରକାର କରିଥିବା ସଂକଳ୍ପ ଉପରେ ମତ ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ଆଠ୍‌ଵାଲେ କହିଥିଲେ ଏହା ଉତ୍ତମ ପ୍ରସ୍ତାବ। ଆସନ୍ତା ଜନଗଣନା ସମ୍ପୂର୍ଣ୍ଣ ଭାବେ ଜାତି ଆଧାରରେ କରିବାକୁ ସେ ସଂସଦରେ ଦାବି ରଖିବେ।

ସମ୍ବନ୍ଧିତ ଖବର