ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ଭଲ ବନ୍ଧୁ। ସେ ଓଡ଼ିଶାରେ ଅନେକ ଭଲ କାମ କରିଛନ୍ତି। ବିଜେପି ସହ ତାଙ୍କର ଭଲ ସମ୍ପର୍କ ରହି ଆସିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ବିଜେପି ବିରୋଧରେ ଛିଡ଼ା ହେବା ପାଇଁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। କିନ୍ତୁ ନବୀନ ଭଲ ଲୋକ। ସେ ନୀତୀଶଙ୍କ ପାଲରେ ପଡ଼ିବେ ନାହିଁ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ରାମଦାସ ଅଠାୱଲେ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି।
ନୀତୀଶଙ୍କ ପାଲରେ ପଡ଼ିବେନି ନବୀନ
କଂଗ୍ରେସ ଉପରେ ବିଷୋଦ୍ଗାର କରି ସେ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନବରତ ବିକାଶ କରୁଥିବା ବେଳେ କଂଗ୍ରେସ ତାଙ୍କୁ ଗାଳି ଦେବାରେ ବ୍ୟସ୍ତ ରହୁଛି। କଂଗ୍ରେସର ନେତାମାନେ ଜାଣିଶୁଣି ନରେନ୍ଦ୍ର ମୋଦୀଙ୍କୁ ବଦନାମ୍ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ କର୍ଣ୍ଣାଟକରେ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବ ଏବଂ ୨୦୨୪ ମସିହାରେ ୩୫୦ରୁ ଅଧିକ ଆସନରେ ବିଜୟୀ ହୋଇ ପୁଣି ସରକାରକୁ ଆସିବ। ସେହିପରି ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପଛରେ ସେ ନିଜେ ଦାୟୀ। ଏଥିରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ। ଏହାସହ କେନ୍ଦ୍ର ସରକାରଙ୍କ ଜନଧନ, ଉଜ୍ଜ୍ବଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଶଂସା କରିବା ସହ ଓଡ଼ିଶାରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।
ସେହିପରି ଓଡ଼ିଶାରେ ଦଳିତ ଓ ଆଦିବାସୀମାନଙ୍କ ସ୍ଥିତିକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ୨୦୨୨-୨୩ରେ ମସିହାରେ ଓଡ଼ିଶାରେ ଦଳିତ ଓ ଆଦିବାସୀମାନଙ୍କ ଉପରେ ୩୨୩୫ଟି ମାମଲା ହୋଇଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ।