ଓଡ଼ିଶାରେ କୋଭିଡ୍‌ ପରିଚାଳନା ପ୍ରସ୍ତୁତି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ସ୍ୱାସ୍ଥ୍ୟସେବାକୁ ବିକଶିତ କରିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ: ଧର୍ମେନ୍ଦ୍ର

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମି ଭୂମି ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମୀକ୍ଷା କରିଛନ୍ତି। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ହୋଇଥିବା ଏହି ବୈଠକରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସ୍‌ୟୁ)ଗୁଡ଼ିକର ଓଡ଼ିଶା ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କିଙ୍ଗ୍‌ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା ସମୟରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ରାଜ୍ୟରେ ଟେଷ୍ଟିଂ, ଭେଣ୍ଟିଲେଟର, ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ବଢ଼ାଇବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକଶିତ କରିବା ପାଇଁ ସମସ୍ତଙ୍କ ସହଯାଗ କାମନା କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ ଓଡ଼ିଶାରେ ପରିଚାଳିତ ପିଏସ୍‌ୟୁ, କେନ୍ଦ୍ର ସ୍ୱାସ୍ଥ୍ୟ ଅନୁଷ୍ଠାନ, ବ୍ୟାଙ୍କିଂ କ୍ଷେତ୍ର ତଥା କର୍ପୋରେଟ୍ ସେକ୍ଟର ଏହି ମାହାମାରୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ତିଆରି କରିବା ଦରକାର। ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଇସୋଲେସନ୍‌ ବେଡ୍‌ର କ୍ଷମତା ବୃଦ୍ଧି କରିବା ସହ ଆଇସିୟୁ ଏବଂ ଅକ୍ସିଜେନ ସଂଯୁକ୍ତ ବେଡ୍‌କୁ ବୃଦ୍ଧି କରିବା ଦିଗରେ ସମସ୍ତେ ମିଳିତ ଭାବେ ପଦକ୍ଷେପ ନେବା ସହ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବା ଦରକାର। ସମସ୍ତ ଅଂଶୀଦାରମାନେ ଟେଷ୍ଟିଂ, ଟିକାକରଣ ସୁବିଧା, ଭେଣ୍ଟିଲେଟର, ଅମ୍ଳଜାନ ଯୋଗାଣ, ଆଇସିୟୁ ସହ ବେଡ୍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ଉପକରଣର ଉପଲବ୍ଧିକୁ ବିକଶିତ କରି ବର୍ତମାନ କୋଭିଡ୍ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ଦରକାର। ରାଜ୍ୟର ଦୁଇଟି ଅଗ୍ରଣୀ ଇନଷ୍ଟିଚ୍ୟୁଟ୍ ଆରଏମ୍‌ଆର୍‌ସି ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍‌ ସାଇନ୍ସକୁ ଅଧିକରୁ ଅଧିକ ଟେଷ୍ଟିଂକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେବା ସହ ପିଏସ୍‌ୟୁଗୁଡ଼ିକୁ ମଧ୍ୟ ନିଜ ନିଜ ବ୍ୟବସ୍ଥାରେ ଟେଷ୍ଟିଂ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ତିଆରି କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ। ସେହିପରି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣର ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପିଏସ୍‌ୟୁଗୁଡ଼ିକୁ ଟିକା କିଣି ନିଜର କର୍ମଚାରୀଙ୍କୁ ଟିକା ଦେବା ସହ ସମାଜରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଇବା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

କୋଭିଡ୍‌ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ପାଇଁ ଟେଷ୍ଟିଂ ବଢ଼ାଇବା, ଜରୁରୀକାଳୀନ ଔଷଧ ତଥା ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁଦୃଢ଼ କରି ରାଜ୍ୟ ସରକାରଙ୍କୁ ସହଯୋଗ କରିବା ତଥା ମିଳିତ ଭାବେ କାର୍ଯ୍ୟ କରିବା ଦିଗରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ସର୍ବାଧିକ କୋଭିଡ୍‌ ପ୍ରଭାବିତ ଅଞ୍ଚଳ ସମେତ ସବୁ ଜିଲ୍ଲାକୁ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିକଶିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଆଲୋଚନାରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା, ଆଇଏଲ୍‌ଏସ୍‌ର ନିର୍ଦ୍ଦେଶକ, ଆରଏମ୍‌ଆର୍‌ସିର ନିର୍ଦ୍ଦେଶିକା, ଏନ୍‌ସିସିର ଓଡ଼ିଶା ଜୋନ୍‌ ଇନ୍‌ଚାର୍ଜ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଭୁବନେଶ୍ୱରର ନିର୍ଦ୍ଦେଶକ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ, ଏସ୍‌ବିଆଇ ଓଡ଼ିଶା ଶାଖାର ମୁଖ୍ୟ ମହାପ୍ରବନ୍ଧକ, ଏମ୍‌ସିଏଲ୍‌ର ସିଏମ୍‌ଡି ପି.କେ. ସିହ୍ନା, ଏନ୍‌ଟିପିସି ଓ ପାରାଦୀପ ପୋର୍ଟର ଇନ୍‌ଚାର୍ଜ ଆଲୋଚନାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର