ଭୁବନେଶ୍ବର : ମାନସିକ ଅସନ୍ତୁଳନର ଶିକାର ହେଲେ ପରୀକ୍ଷାର୍ଥୀର ଏକାଗ୍ରତା ବ୍ୟାହତ ହେବା ସହ ସେ ପରୀକ୍ଷାରେ ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ହୁଏ। ସେହି ଦୃଷ୍ଟିରୁ ପ୍ରତ୍ୟେକ ପରୀକ୍ଷାର୍ଥୀ ପରୀକ୍ଷା ପୂର୍ବରୁ ମାନସିକ ସ୍ତରରେ ଦ୍ବନ୍ଦ୍ବମୁକ୍ତ ହେବା ଆବଶ୍ୟକ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ କହିଛନ୍ତି। ଆଜି କଟକ ଜିଲ୍ଲା ମୁଣ୍ତଳୀସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କାଳରେ ସେ ଏହା କହିବା ସହ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ପରୀକ୍ଷା ପେ ଚର୍ଚ୍ଚା” କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧୋତ୍ରେ କହିଛନ୍ତି, ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ଏକ ଭିନ୍ନ ପରିଚୟ ରହିଛି। ଜୀବନର ଶିକ୍ଷା ନବୋଦୟ ବିଦ୍ୟାଳୟରୁ ହିଁ ମିଳିଥାଏ। ସ୍ବଚ୍ଛତା, ଏକକ ପ୍ଲାଷ୍ଟିକ ବର୍ଜନ ଠାରୁ ଆରମ୍ଭ କରି ଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନେକ କାର୍ଯ୍ୟକ୍ରମକୁ ଅନୁସରଣ କରିବାରେ ନବୋଦୟର ବିଦ୍ୟାର୍ଥୀ ବେଶ୍ ଆଗୁଆ ଅଛନ୍ତି। ବିଭିନ୍ନ ଅଂଚଳରୁ ଆସିଥିବା ଛାତ୍ରଛାତ୍ରୀ ପାରସ୍ପରିକ ସହଯୋଗ ଦ୍ବାରା ଯେପରି ଶିକ୍ଷା ଲାଭ କରିଥାନ୍ତି ତାହାର ପ୍ରେରଣା ନବୋଦୟ ବିଦ୍ୟାଳୟରୁ ହିଁ ମିଳିଥାଏ। ସମନ୍ବୟ, ସାଂଗଠନିକ ଦକ୍ଷତା, ଆପୋସ ଭାବବିନିମୟ ଜୀବନରେ ସୁଖପ୍ରଦ ଅନୁଭୂତି ଆଣିଥାଏ। ଜୀବନର ଦୃଷ୍ଟିକୋଣ ଯେତେ ବ୍ୟାପକ ହେବ, ମଣିଷ ସେତିକି ଉନ୍ନତି କରିପାରିବ।
ପରୀକ୍ଷା ପେ’ ଚର୍ଚ୍ଚା ପାଇଁ ଦେଶର ୧୦୦୦ ବିଦ୍ୟାର୍ଥୀ ବଛା ଯାଇଥିବାବେଳେ ସେଥିରେ ଓଡିଶାର ୨୮ଜଣ ରହିଥିବା ସେ ପ୍ରକାଶ କରିଥିଲେ। ଏହି ଅବସରରେ ଶ୍ରୀ ଧୋତ୍ରେ ଶିକ୍ଷାନୁଷ୍ଠାନ ପରିସର ବୁଲିବା ସହିତ ଛାତ୍ରାଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ପୂର୍ବରୁ ସେ ଭୁବନେଶ୍ବରସ୍ଥିତ ଜାତୀୟ ସୂଚନା କେନ୍ଦ୍ର ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।