କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆନଙ୍କ ଅଭିଯୋଗ: ସହଯୋଗ ମିଳିଲାନି, ତଥ୍ୟ ଦେଲେନି, ଜିଲ୍ଲା ପ୍ରଶାସନକୁ ସିଧାସଳଖ ଟାର୍ଗେଟ

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ରାଜନୀତି, କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗକୁ ଜିଲ୍ଲାପାଳଙ୍କ ଖଣ୍ଡନ

କୋରାପୁଟ: ଆକାଂକ୍ଷା ଜିଲ୍ଲାର ସମୀକ୍ଷା ନିମନ୍ତେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବଲିଆନ ପ୍ରଶାସନ ଉପରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ରାଜ୍ୟ ସରକାରଙ୍କୁ ବି ସିଧାସଳଖ ଟାର୍ଗେଟ୍‌ କରିଛନ୍ତି। ତାଙ୍କୁ ସହଯୋଗ କରାଯାଇନଥିବା ଏବଂ ପ୍ରଶାସନ କୌଣସି ତଥ୍ୟ ଦେଇନଥିବା ସେ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ଲୋକପ୍ରତିନିଧିମାନେ ଜାଣିଶୁଣି ଅନୁପସ୍ଥିତ ରହିଥିବା କହିଛନ୍ତି। ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ଅସହଯୋଗ ଏବଂ ଅସମ୍ମାନର ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବଲିଆନ ନିର୍ଦ୍ଧାରିତ ଗସ୍ତ ସୂଚୀ ଅନୁସାରେ ଆଜି କୋରାପୁଟରେ ପହଞ୍ଚିଥିଲେ। କେନ୍ଦ୍ର ସରକାରଙ୍କ ଯୋଜନାର ସମୀକ୍ଷା ପାଇଁ ପୂର୍ବରୁ କାର୍ଯ୍ୟସୂଚୀରେ ରହିଥିବାବେଳେ ଜିଲ୍ଲାପାଳ ସମୀକ୍ଷା ବୈଠକରେ ଅନୁପସ୍ଥିତ ଥିଲେ। ଜିଲ୍ଲାପାଳଙ୍କୁ ଅନୁପସ୍ଥିତକୁ ନେଇ କେନ୍ଦ୍ରମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ‌େଯ ଜିଲ୍ଲା ଗସ୍ତ ସଂପର୍କରେ ୪ଦିନ ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଜିଲ୍ଲାପାଳ ଅନୁପସ୍ଥିତ ରହିଲେ। ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଆବାସ, ମନରେଗା, କିଷାନ୍ ସମ୍ମାନ ନିଧି ଯୋଜନା ସଂପର୍କରେ ଆଲୋଚନା କରିବାକୁ ଚାହିଁଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଯୋଜନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାରେ ପ୍ରଶାସନ ଅସମର୍ଥ ହୋଇଥିଲା। ସେହିପରି ପୂର୍ବରୁ ଯୋଜନା କରି ପ୍ରଶାସନ ଅଳ୍ପ କିଛି ହିତାଧିକାରୀଙ୍କୁ ହିଁ ବୈଠକକୁ ଡାକିଥିଲା। ଏଭଳି କରିବା ପଛରେ ନିଶ୍ଚିତ ରୂପେ କିଛି ଉଦ୍ଦେଶ୍ୟ ପ୍ରଶାସନର ରହିଥିଲା ଏବଂ ବହୁତ କିଛି ଲୁଚାଇବା ପାଇଁ ପ୍ରୟାସ ହୋଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି।

ଆହୁରି ମଧ୍ୟ ସେ ଅଭିଯୋଗ କରିଥିଲେ; ବିଧାୟକ, ବିରୋଧୀ ଦଳର ବିଧାୟକ ଓ ସାଂସଦଙ୍କୁ ଏହି ବୈଠକ ପାଇଁ ନିମନ୍ତ୍ରିତ କରାଯାଇଥିଲା। କିନ୍ତୁ ଜଣେ ବି ଏହି ବୈଠକରେ ଯୋଗ ଦେଇ ନଥିଲେ। ରାଜ୍ୟ ସରକାର ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଠାରୁ ରାଜନୀତି ଏବଂ ଚକ୍ରାନ୍ତ କରିବା ଆରମ୍ଭ କରିଛନ୍ତି। ଜାଣିଶୁଣି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କାମ କରିବାକୁ ସୁଯୋଗ ଦିଆଗଲାନି ବୋଲି କ୍ଷୋଭ ପ୍ରକାଶ କରିଥିଲେ। କୋରାପୁଟ ଜିଲ୍ଲାରେ ମତ୍ସ୍ୟ ଓ ପଶୁ ସମ୍ପଦକୁ ନେଇ ଜୀବିକାର ବଡ଼ ସମ୍ଭାବନା ରହିଛି। କିନ୍ତୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି, କେନ୍ଦ୍ର ସରକାରଙ୍କ ଯୋଜନା କେମିତି ଚାଲିଛି ତାହାର କୌଣସି ସୂଚନା ଦେଉନାହାନ୍ତି। ସମୀକ୍ଷା ଯେମିତି ବିଫଳ ହେଉ, ସେଥିପାଇଁ ପୂରା ପ୍ରଶାସନିକ କଳକୁ ରାଜ୍ୟ ସରକାର ଲଗାଇ ଦେଇଥିଲେ। ସ୍ଥାନୀୟ ବିଧାୟକ ତଥା ସାଂସଦଙ୍କ ଅନୁପସ୍ଥିତି ଯୋଗୁ ସମୀକ୍ଷା ବୈଠକରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କୁ ଆଲୋଚନାରେ ସାମିଲ କରିବାକୁ ବି ଅନୁରୋଧ କରିଥିଲେ। ଯାହାକୁ ପ୍ରଶାସନିକ ଅଧିକାରୀ ପ୍ରତ୍ୟାଖ୍ୟାନ କରିଥିଲେ। କୌଣସି ପ୍ରଶ୍ନର ଉତ୍ତର ପ୍ରଶାସନିକ ଅଧିକାରୀ ନ ଦେଇ ଗଣମାଧ୍ୟମକୁ ବି ଫଟୋ ଉଠାଇବା ପାଇଁ ସୁଯୋଗ ଦେଇ ନଥିଲେ। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ବୈଠକ କକ୍ଷରୁ ପ୍ରଶାସନିକ ଅଧିକାରୀ ଠେଲି ବାହାର କରିଦେଇଥିବାରୁ ନିନ୍ଦା କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଏମ୍‌. ଅଖତର। ହାଇକୋର୍ଟରେ ଡବ୍ଲୁପି(ସି)୨୫୧୯୭/୨୦୧୯ ଅନୁଯାୟୀ ରୁଜୁ ମକଦ୍ଦମାର ଶୁଣାଣି ନିମନ୍ତେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିଥିଲେ। ତେଣୁ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ କଟକରେ ରହିଛନ୍ତି। ତେଣୁ ଆଜି କେନ୍ଦ୍ର ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗ ଦେଇପାରି ନ ଥିବା ଗଣମାଧ୍ୟମକୁ ଜଣାଇଛନ୍ତି। କିନ୍ତୁ ସମୀକ୍ଷା ବୈଠକରେ ସବୁ ସରକାରୀ ଅଧିକାରୀ ଓ ସହକାରୀ ଜିଲ୍ଲାପାଳଙ୍କୁ ଉପସ୍ଥିତ ରହିବାକୁ କହିଥିଲେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର