ଜୟପୁର: ଆସନ୍ତା ୧୮ତାରିଖ ଦିନ ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଓ ନବରଙ୍ଗପୁରରେ ଅଲେଖ ମହିମା ଧର୍ମାବଳମ୍ବୀଙ୍କ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତି ପରବ ଆରମ୍ଭ ହୋଇଛି। ଦଳୀୟ ତୁଙ୍ଗ ନେତାଙ୍କୁ ନେଇ ବୈଠକ କରିବା ସହ କିଭଳି ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ ଆଦିକୁ ନେଇ ଆଲୋଚନା କରାଯାଇଥିଲା। କେନ୍ଦ୍ର ମନ୍ତ୍ରୀ ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ବିମାନବନ୍ଦରରେ ସେ ଦିନ ସକାଳ ୯ଟା ୧୫ରେ ଓହ୍ଲାଇବେ। ଏଠାରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହା ସହ ତାଙ୍କୁ ଆମ୍ବାଗୁଡା ଓ ବୋରିଗୁମ୍ମାରେ ସ୍ବାଗତ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଛି।
ପୂର୍ବତନ କୁଚିଣ୍ଡା ବିଧାୟକ ତଥା ରାଜ୍ୟ ସଂପାଦକ ରବି ନାୟକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ, ରାଜ୍ୟପରିଷଦ ସ୍ଥାୟୀ ସଭ୍ୟ ଗୌତମ ସାମନ୍ତରାୟ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସାବନ ମହାନ୍ତି ପ୍ରମୁଖ ଏସବୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହା ସହ ଜୟପୁର ବିମାନବନ୍ଦରକୁ ଯାଇ ଯେଉଁ ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଦନା ଦିଆଯିବ ସେଠାରେ ମଂଚ ତିଆରି କରିବା ସ୍ଥାନ ନିରୀକ୍ଷଣ କରିଥିଲେ। ଜିଲ୍ଲାର କୋଣ ଅନୁକୋଣର ଦଳୀୟ କର୍ମକର୍ତ୍ତା ମାନେ ଏହି ତିନୋଟି ସ୍ଥାନରେ ଭାଗ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଦନା ଜଣାଇବେ ବୋଲି କହିଛନ୍ତି ରାଜ୍ୟ ପରିଷଦ ସ୍ଥାୟୀ ସଭ୍ୟ ଶ୍ରୀ ସାମନ୍ତରାୟ ।