କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିକାଶ କାମର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

କେସିଙ୍ଗା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ କଲେ ଆଲୋଚନା

ଭୁବନେଶ୍ବର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ତାଙ୍କର ଏହି ସରକାରୀ ଗସ୍ତ ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ରବିବାର କେନ୍ଦ୍ର ମନ୍ତ୍ରୀ କଳାହାଣ୍ଡିର କେସିଙ୍ଗା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହିତ ମତ ବିନିମୟ କରିଛନ୍ତି । ପକ୍କା ଘର ମିଳିବା ପରେ ସେମାନଙ୍କର ଅଭିଜ୍ଞତା, ସଶକ୍ତିକରଣ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ । ଏଠାରେ ୪୦ ପରିବାରକୁ ଆବାସ ଯୋଜନାରେ ଘର ମିଳିଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା କଲୋନୀ ପରିସରରେ ବୃକ୍ଷରୋପଣ ମଧ୍ୟ କରିଥିଲେ । ହିତାଧିକାରୀମାନେ କହିଥିଲେ ଯେ, ଆବାସ ଯୋଜନାରେ ଘର ମିଳିବା ପରେ ସେମାନଙ୍କ ଜୀବନରେ ଯଥେଷ୍ଟ ପରିବର୍ତ୍ତନ ଆସିଛି । ସମାଜରେ ସେମାନଙ୍କୁ ଏକ ସମ୍ମାନଜନକ ସ୍ଥାନ ମିଳିଛି ବୋଲି ହିତାଧିକାରୀମାନେ ସୂଚନା ଦେଇଥିଲେ ।

କେନ୍ଦ୍ର ମନ୍ତ୍ରୀ କେସିଙ୍ଗା ଠାରେ ସରକାରୀ ସ୍କୁଲ ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧ ପ୍ରତିଶତ ଜନଜାତି ବର୍ଗର ହୋଇଥିବାରୁ କେନ୍ଦ୍ର ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ ଏବଂ ବିଜ୍ଞାନାଗାର ଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁରୂପ ଦେଶର ପ୍ରତି ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଲାଗି ଯୋଜନା କରାଯାଇଛି । ଏହି କ୍ରମରେ ଭବାନୀପାଟଣା ଠାରେ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ କରାଯାଉଛି । କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଏହାର ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଥିଲେ । ୩୪ ଏକର ଜମିରେ ଟାଟା ଦ୍ବାରା ଏହି ମେଡ଼ିକାଲ କଲେଜ ନିର୍ମିତ ହେଉଛି । ମାନ୍ୟବର ମନ୍ତ୍ରୀ ଟାଟା ପ୍ରକଳ୍ପର ଅଧିକାରୀଙ୍କ ସହିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ କେନ୍ଦ୍ର ଜନଜାତି ବ୍ୟପାର ମନ୍ତ୍ରୀ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ସିକଲ ସେଲ୍‌ ରୋଗର ସ୍କ୍ରିନିଂ ହେଉଥିବା ଜାଣି କେନ୍ଦ୍ର ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଏହାପରେ ମନ୍ତ୍ରୀ ଭବାନୀପାଟଣାର ସୁକୁନାଭାଟା ଗାଁରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ସେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ମହିଳା ଗୋଷ୍ଠୀ ସୁକୁନାଭାଟାରେ ଗ୍ରାମୀଣ ପାର୍କର ରକ୍ଷଣାବେକ୍ଷଣ କରୁଛନ୍ତି । ସେମାନେ କହିଥିଲେ ଯେ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ଗ୍ୟାସ ସଂଯୋଗ ହୋଇଛି । ଶୌଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଏବଂ ସଡ଼କ ନିର୍ମାଣ ଫଳରେ ସେମାନଙ୍କୁ ଅନେକ ସୁବିଧା ମିଳିଛି, ସେମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି । ଆସନ୍ତାକାଲି ଶ୍ରୀ ମୁଣ୍ଡା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର