ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ: ଚାଷୀଙ୍କ ପାଇଁ ସ୍ଥାୟୀ ପଦକ୍ଷେପ ଜରୁରୀ: ଧର୍ମେନ୍ଦ୍ର

ଭୁବନେଶ୍ୱର : ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ବିଶେଷଭାବରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀ ଓ ଚାଷୀଙ୍କ ଜୀବନଜୀବିକାକୁ ସୁରକ୍ଷିତ କରିବା ପାଇଁ ଏକ ସ୍ଥାୟୀ ଓ ଦୂରଦର୍ଶୀ ପଦକ୍ଷେପର ଆବଶ୍ୟକତା ରହିଛି। ସାମୁଦ୍ରିକ ବାତ୍ୟା ‘ୟାସ୍‌’ ଦ୍ୱାରା ପ୍ରଭାବିତ ହୋଇଥିବା ବାଲେଶ୍ୱର ଜିଲ୍ଲା ଶ୍ରୀକୋଣା ପଞ୍ଚାୟତର ଚାରିଗୋଛିଆ ଗାଁ, ସାରଥା ପଞ୍ଚାୟତର ମୁହାଣ ସମେତ ଆଖପାଖ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ଏହା କହିଛନ୍ତି। ଏହାସହ ବାତ୍ୟା ବିପନ୍ନଙ୍କୁ ଭେଟି ରିଲିଫ୍ କାର୍ଯ୍ୟ, ବାତ୍ୟା ପରବର୍ତ୍ତୀ ଓ ଅନ୍ୟାନ୍ୟ ସମସ୍ୟା ଉପରେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ କହିଲେ ଯେ ବାଲେଶ୍ୱର ଜିଲ୍ଲାର ଚାରିଗୋଛିଆ ଅଞ୍ଚଳରେ ସମାନ୍ୟ ଜୁଆର ହେଲେ ଲୁଣି ପାଣି ମାଡ଼ିଯାଏ । ବାତ୍ୟା ପରେ ଏବେ ବି ଲୋକମାନେ ଲୁଣି ପାଣିଘେରରେ ଅଛନ୍ତି। ବୁଢ଼ାବଳଙ୍ଗ କୂଳରେ ଘାଇ ଭାଙ୍ଗିଯିବାରୁ ଲୁଣି ପାଣି ମାଡ଼ିଯାଇ ଅନେକ ଚାଷ ନଷ୍ଟ ହୋଇଯାଇଛି। ବାତ୍ୟା କାରଣରୁ ଅଧିକ ଚିଙ୍ଗୁଡ଼ି ଘେରି ନଷ୍ଟ ହୋଇଯାଇଥିବା ବେଳେ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ଏହାର ସ୍ଥାୟୀ ପ୍ରତିକାର ହେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଆକାଶମାର୍ଗରୁ ବାଲେଶ୍ୱର ଅଞ୍ଚଳ ପରିଦର୍ଶନ ସହ ସ୍ଥିତି ସମୀକ୍ଷା କରିଛନ୍ତି । ସ୍ଥାୟୀ ଭାବେ ଉପକୂଳବର୍ତୀ ଅଞ୍ଚଳକୁ କିପରି ଭାବରେ ସୁରକ୍ଷିତ କରାଯାଇପାରିବ, ସେଥିପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଶେଷକରି, ପରିବେଶକୁ ଧ୍ୟାନକୁ ନେଇ ବିଜ୍ଞାନ ଏବଂ ଟେକ୍ନୋଲୋଜିକୁ ଉପଯୋଗ କରି ଲମ୍ବା ସମୟ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳର ଜନବସତି ଏବଂ ଜୀବନଜୀବିକାର ସୁରକ୍ଷା କିପରି ହୋଇପାରିବ, ସେ ନେଇ ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଏହାବାଦ୍‌ ବାତ୍ୟା ଏବଂ ବନ୍ୟା ପାଇଁ ପ୍ରତିକାରମୂଳକ ପଦକ୍ଷେପ ନିଆଯିବା ସହ ଆଶ୍ରୟସ୍ଥଳରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମଜବୁତ୍ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧିତ ଖବର