ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ୱର ଟୁଡ଼ୁ: ସୋସିଆଲ୍‌ ମିଡିଆରେ ମନ୍ତବ୍ୟକୁ ନେଇ ଝଡ଼

ଲୋକଙ୍କ ପ୍ରତିକ୍ରିୟାରେ ରାଗିଲେ, ଗାଳିକଲେ

ବାରିପଦା : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ବର ଟୁଡୁ ନିକଟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ନିଜ ନିର୍ବାଚନମଣ୍ଡଳୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବିମାନଘାଟିର ଉନ୍ନତୀକରଣ ସଂପର୍କରେ ଆଲୋଚନା କରିଥିଲେ। ବ୍ରିଟିସ୍‌ ଅମଳର ଏହି ବିମାନଘାଟିକୁ କିପରି କାର୍ଯ୍ୟକ୍ଷମ କରାଯିବ ସେ ସଂକ୍ରାନ୍ତରେ ଦୃଷ୍ଟି ଦେବେ ବୋଲି କହିଥିଲେ ମନ୍ତ୍ରୀ ଶ୍ରୀ ସିନ୍ଧିଆ। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାବେଳେ ଶ୍ରୀ ସିନ୍ଧିଆଙ୍କ ସହ ସାକ୍ଷାତ ଆଲୋଚନା ସମୟର ଏକ ଫଟୋ ଓ ପ୍ରକାଶିତ ଖବରକୁ ମନ୍ତ୍ରୀ ଶ୍ରୀ ଟୁଡୁ ସୋସିଆଲ୍‌ ମିଡିଆ ‘ଫେସ୍‌ବୁକରେ ସେୟାର କରିଥିଲେ।

ତେବେ କେନ୍ଦ୍ରମନ୍ତ୍ରୀ ଏହି ଖବର ସେୟାର କରିବାର କିଛି ସମୟ ପରେ ଅନେକ ଲୋକ ତାଙ୍କୁ କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ। ସତରେ କଣ ଏୟାରଷ୍ଟ୍ରିପ୍‌ର ଉନ୍ନତୀକରଣ ହେବ ନା କେବଳ ପ୍ରତିଶ୍ରୁତିରେ ସବୁ ରହିଯିବ ବୋଲି କିଛି ଲୋକ ମନ୍ତ୍ରୀଙ୍କ ଫଟୋ ଓ ଖବର ଉପରେ ପ୍ରତିକ୍ରିୟା ରଖିଥିଲେ। ପ୍ରତାପ ନନାଙ୍କ ଭଳି ଭାଷଣ ଦେଇ ଚାଲିଥିବେ ନା କିଛି କାମ କରିବେ ବୋଲି ଆଉ କିଛି ଲୋକ ତାଙ୍କୁ କଟାକ୍ଷ କରିଥିଲେ। ଲୋକଙ୍କ ଏହି କମେଣ୍ଟ ଓ ଟ୍ରୋଲ୍‌କୁ ନେଇ ମନ୍ତ୍ରୀ ଶ୍ରୀ ଟୁଡ଼ୁ ଉତ୍ତେଜିତ ହୋଇପଡ଼ିବା ସହ ପ୍ରତିଜବାବରେ କୁରୁଚିପୂର୍ଣ୍ଣ ମନ୍ତବ୍ୟ ରଖିଥିବା ଦେଖିବାକୁ ମିଳିଛି। ‘ତୁ ଖାଇବୁ ଜଣାଗଲାଣି, ଅପେକ୍ଷା କର ତୋ ପିଠି ଚମଡ଼ା ଉତୁରେଇ ଦିଆଯିବ… ଏମିତି ଭାଷାରେ ଶ୍ରୀ ଟୁଡୁ ଜବାବ ରଖିଛନ୍ତି। ସାମାଜିକ ଗଣମାଧ୍ୟମରେ ଏମିତି ଭାଷାରେ ମନ୍ତବ୍ୟ ରଖିବାକୁ ନେଇ ପୁଣି ବିବାଦ ଘେରକୁ ଟାଣି ହୋଇ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏ ସଂକ୍ରାନ୍ତରେ ମନ୍ତ୍ରୀ ଶ୍ରୀ ଟୁଡୁଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍‌ ଉଠାଇ ନଥିଲେ। ସୂଚନା ଥାଉକି, ପୂର୍ବରୁ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇ ଶ୍ରୀ ଟୁଡ଼ୁ ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ସୋସିଆଲ୍‌ ମିଡିଆରେ ମନ୍ତ୍ରୀ ଶ୍ରୀ ଟୁଡୁ ଯେଉଁ ମନ୍ତବ୍ୟ ରଖିଛନ୍ତି, ସେ ଆକାଉଣ୍ଟ ତାଙ୍କର ନିଜର ନା ଜାଲ୍‌; ସେ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର