ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ କେନ୍ଦ୍ରମନ୍ତ୍ରୀ

୩ ଦିନରେ ୫୦ ହଜାର ପରିବାରକୁ ରିଲିଫ୍‌
ଅସହାୟଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବାଣ୍ଟିଲା ସଦର ବିଜେପି

ବାଲେଶ୍ବର : ଗୁରୁବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ବର ପହଞ୍ଚି ସଦର ବ୍ଲକ ଓ ବାଲିଆପାଳ ବ୍ଲକର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଆକଳନ କରିବା ସହ ଲୋକଙ୍କ ସହିତ କ୍ଷୟକ୍ଷତି ବିଷୟରେ ଆଲୋଚନା କରିଛନ୍ତି। ସଦର ବ୍ଲକର ବଇଁଚା, ସିନ୍ଧିଆ, ଗୋପିନାଥପୁର, ପରଖୀ, ଦୁବୁଲାଗଡି, ବହାବଳପୁର, ଛାନୁଆଁ, ସାର୍ଥା, ପଞ୍ଚପଡା ଓ ବାଲିଆପାଳ ବ୍ଲକର ନୂଆଗାଁ, ବିଷ୍ଣୁପୁର, ଡ଼ଗରା, ଚୌମୁଖ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ, ପ୍ରଶାସନିକ କାର୍ଯ୍ୟର ସମୀକ୍ଷା କରିବା ସହି ବିପନ୍ନ ପରିବାରଙ୍କୁ ବିସ୍କୁଟ, ଶୁଖିଲା ଖାଦ୍ୟ, ମାସ୍କ, ସାବୁନ, ସାନିଟାଇଜର ଓ କମ୍ବଳ/ଚାଦର ବଣ୍ଟନ କରିଛନ୍ତି।

ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଫୋନରେ ଆଲୋଚନା କରିଥିଲେ। ଆଗାମୀ ତିନି ଦିନ ମଧ୍ୟରେ ଜିଲ୍ଲାର ୫୦ ହଜାର ପରିବାରକୁ ରିଲିଫ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର କହିଛନ୍ତି। ସେହିପରି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀ ନେତା ମାନସ ଦତ୍ତ ସଦର ନିର୍ବାଚନ ମଣ୍ଡଳୀର ବାତ୍ୟା ପ୍ରଭାବିତ ଅଞ୍ଚଳ ଚାନ୍ଦିପୁର, କଷାଫଳ, ସାର୍ଥା, ଶ୍ରୀକୋଣା ବୁଲି ସ୍ଥିତି ପରଖିବା ସହ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ପୂର୍ବତ୍ତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ପୁର୍ବତ୍ତନ ସଦର ବିଧାୟକ ଜୀବନ ପ୍ରଦୀପ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ବେହେରା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଉପସଭାପତି କମଲଲୋଚନ ଦାସ, ରାଜ୍ୟ ସମ୍ପାଦକ ଆଶିଷ ଘୋଷ ଓ ଗୌରାଙ୍ଗ ଦାସ, ମହିଳାମୋର୍ଚ୍ଚା ସଭାପତି ମନୀଷା ବେହେରା, କୃଷକମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ଯୁବମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନ, ବିରେନ୍ଦ୍ର ପଣ୍ଡା, ସୁଶାନ୍ତ ବେରା, ମୋହିତ ପୋଦ୍ଦାର, ସୁବୋଧଚନ୍ଦ୍ର ପଣ୍ଡା ପରିଦର୍ଶନରେ ଯାଇଥିଲେ।

ସମ୍ବନ୍ଧିତ ଖବର