ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ସାମାଜିକ ଓ ଶୈକ୍ଷିକ ରୂପେ ଅନଗ୍ରସର ପଛୁଆ ବର୍ଗ(ଏସଇବିସି)ଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରିରେ ଓବିସି ଓ ଏସଇବିସି ବର୍ଗର ଯୁବକଙ୍କୁ ସଂରକ୍ଷଣ ଦେବାକୁ ଚିଠିରେ ସେ ଉଲ୍ଲେଖ କରିଛନ୍ତି।

ଓଡିଶାରେ ଓବିସି ଓ ଏସଇବିସି ବର୍ଗର ଲୋକ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ ଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ଦରିଦ୍ର ଶ୍ରେଣୀର ଲୋକ ରହିଛନ୍ତି କିନ୍ତୁ ଏହାସତ୍ତ୍ୱେ ମଧ୍ୟ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ଓବିସି ମାନଙ୍କୁ ସଂରକ୍ଷଣ ସୁବିଧା ମିଳୁନଥିବା ବେଳେ ଏସଇବିସି ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ଦେଉନାହାନ୍ତି ରାଜ୍ୟ ସରକାର।

ଏହାପୂର୍ବରୁ ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି, ଯାହାକୁ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ଦେଇଛନ୍ତି। ତେଣୁ ଏହି ବର୍ଗର ଲୋକମାନଙ୍କୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରୀରେ ଅଧିକ ସୁଯୋଗ ଉପଲବ୍ଧ କରାଇବା ପାଇଁ ରାଜ୍ୟରେ ମଧ୍ୟ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର