ବାରିପଦା : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଚାଲୁଛି। ତେ‌ବେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟରେ ଜିଲ୍ଲାପାଳ ସମ୍ପୂର୍ଣ୍ଣ ଅସହଯୋଗ କରୁଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ବସୁଛି। ତେବେ ଅନ୍ୟଆଡ଼େ ଗସ୍ତ କାର୍ଯ୍ୟକ୍ରମ ରହିଥିବା ଦର୍ଶାଇ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଜାଣିଶୁଣି ଏଥିରେ ଅନୁପସ୍ଥିତ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଏ ସଂକ୍ରାନ୍ତରେ ସେ ରାଜ୍ୟପାଳଙ୍କୁ ଚିଠି ଲେଖି ଜଣାଇବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରିଛନ୍ତି।

Advertisment

ଶ୍ରୀ ଟୁଡୁଙ୍କ ଅଭିଯୋଗ ହେଲା, ପ୍ରୋଟୋକଲ୍‌ ଅନୁସାରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଯେମିତି ସମ୍ମାନ ଦେବା କଥା, ଜିଲ୍ଲାପାଳ ଦେଉନାହାନ୍ତି। ଏମିତିକି ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ବି ସମୀକ୍ଷା ବୈଠକରେ ଉପସ୍ଥିତ ନ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଉଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି। ଗତ ମାସ ୨୯ ତାରିଖ ‘ଦିଶା’ ବୈଠକରେ ଜିଲ୍ଲାପାଳ ବାରିପଦାରେ ଥାଇ ବି ବୈଠକକୁ ଆସିନଥିଲେ। ସେହିପରି ଗତ ୭ ଓ ୮ ତାରିଖରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା ନେଇ ପୂର୍ବରୁ ଦିନ ଓ ସମୟ ଧାର୍ଯ୍ୟ ହୋଇଥିଲା। ଦୁଇଦିନ ଧରି ଏହି ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଜିଲ୍ଲାପାଳ ଆସି ନଥିଲେ କି ସଂପୃକ୍ତ ବିଭାଗର ଅଧିକାରୀଙ୍କ ଦେଖା ମିଳିନଥିଲା। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଶ୍ରୀ ଟୁଡୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇନଥିଲେ।