ପୁରୀ/ବ୍ରହ୍ମଗିରି/କୃଷ୍ଣପ୍ରସାଦ: ସାଗର ପ୍ରରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା କେନ୍ଦ୍ର ମତ୍ସ୍ୟସଂପଦ ମନ୍ତ୍ରୀ(ରାଷ୍ଟ୍ରମନ୍ତ୍ରୀ) ପୁରୁଷୋତ୍ତମ ରୁପାଲାଙ୍କ ଡଙ୍ଗା ଆଜି ମଝି ଚିଲିକାରେ କିଛି ସମୟ ପାଇଁ ନିଖୋଜ ହୋଇଯିବା ନେଇ ଚାଞ୍ଚଲ୍ୟକର ଖବର ହସ୍ତଗତ ହୋଇଛି। କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ଅନ୍ୟ ବରିଷ୍ଠ ନେତାମାନେ ମଝି ଚିଲିକାରେ କିଛି ସମୟ ପାଇଁ ଫସି ରହିବା କାରଣରୁ ଏଭଳି ଖବର ଆସିଥିଲା। ବାଟ ନ ପାଇ ଏଣେତେଣେ ପଶିଯାଇଥିଲେ ଓ ଚିଲିକାରେ ପଡ଼ିଥିବା ଜାଲରେ ବୋଟ୍ ଛନ୍ଦି ହୋଇ ଅଟକି ଯାଇଥିଲା। ୫ ଘଣ୍ଟା ପରେ ନଳବଣ ଉତ୍ତର ପାର୍ଶ୍ବ ଡ୍ରୋଜର କୁଦା ନିକଟରୁ ତାଙ୍କୁ ଉଦ୍ଧାର କରାଯାଇ ରାତି ପ୍ରାୟ ସାଢ଼େ ୮ଟାରେ ସାତପଡ଼ା କୂଳକୁ ଅଣାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ କାର୍ଯ୍ୟକ୍ରମ ସାରି ବୋଟ୍ରେ ଫେରିବା ବେଳେ ଏହି ଅଘଟଣ ଘଟିଛି। କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଏହା ବଡ଼ ପ୍ରଶ୍ନ ଠିଆ କରିଛି। ମତ୍ସ୍ୟଜୀବୀଙ୍କ ପାଇଁ ଆଜିଠାରୁ ‘ସାଗର ପରିକ୍ରମା’ର ଏକାଦଶ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଜାନୁଆରି ୭ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଜି ଗଞ୍ଜାମ ଜିଲ୍ଲାର ଗୋପାଳପୁର ଓ ଆର୍ଯ୍ୟପଲ୍ଲୀରେ କାର୍ଯ୍ୟକ୍ରମ ସାରି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁଠାରେ ଆୟୋଜିତ ସାଗର ପରିକ୍ରମା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସାରି ଅପରାହ୍ଣ ପ୍ରାୟ ୪ଟା ୧୫ରେ ଚିଲିକାରେ ସାତପଡ଼ାରେ ଥିବା କାର୍ଯ୍ୟକ୍ରମ ଅଭିମୁଖେ ଯାତ୍ରା କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଓଟିଡିସି ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପିଡ୍ ବୋଟ୍ର ବ୍ୟବସ୍ଥା କରାଯାଇଥିଲା। ସାଙ୍ଗରେ ଆଉ ଏକ ବୋଟ୍ ଓ ଡଙ୍ଗା ବି ରହିଥିଲା। କିନ୍ତୁ କେଇ ମିନିଟ୍ର ଯାତ୍ରା ପରେ କେନ୍ଦ୍ରମନ୍ତ୍ରୀଙ୍କ ବୋଟ୍ର କୌଣସି ସନ୍ଧାନ ମିଳିନଥିଲା। ସାତପଡ଼ା ଆସିବା ବଦଳରେ ଚାଳକ ଅନ୍ୟ ରୁଟ୍ରେ ବୋଟ୍ ନେଇ ପଳାଇଥିଲେ। ପହଞ୍ଚିବା ବିଳମ୍ବ ହେବାରୁ ଡଙ୍ଗାରେ ଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ପାତ୍ର ଓ ଅନ୍ୟମାନେ ଓଟିଡିସି, ସିଡିଏ ସହ ଦଳୀୟ ନେତା ଓ ଅନ୍ୟମାନଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ଚିଲିକା ମଝିରେ ଜିପିଏସ୍ ବ୍ୟବସ୍ଥା କାମ କରୁନଥିବାରୁ ସହଜରେ ବୋଟ୍କୁ ଠଉରାଇବା ସମ୍ଭବପର ନଥିଲା।
ରାତି ପ୍ରାୟ ସାଢ଼େ ୭ଟାରେ ଡ୍ରୋଜର କୁଦା ନିକଟରେ କେନ୍ଦ୍ରମନ୍ତ୍ରୀଙ୍କ ବୋଟ୍ ଓ ସାଙ୍ଗରେ ଥିବା ଡଙ୍ଗାର ସନ୍ଧାନ ମିଳିଥିଲା। ବୋଟ୍ ଓ ଡଙ୍ଗାଗୁଡ଼ିକ ବି ବାଟ ନ ପାଇ ଚିଲିକାରେ ପଡ଼ିଥିବା ଜାଲରେ ଛନ୍ଦି ହୋଇ ଅଟକି ରହିଥିଲେ। ପରେ ସିଡିଏ ଓ ଓଟିଡିସିର ୩ଟି, ଚନ୍ଦ୍ରାପୁଟରୁ ଗୋଟିଏ ଓ ବାଲୁଗାଁରୁ ୮ଟି ଡଙ୍ଗା ଘଟଣାସ୍ଥଳରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଓ ଅନ୍ୟମାନଙ୍କୁ ଉଦ୍ଧାର କରି ସାତପଡ଼ା କୂଳକୁ ଆଣିଥିଲେ। ସାତପଡ଼ା ଚିଲିକା କୂଳରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଅପେକ୍ଷାରତ ବିଜେପି ନେତ୍ରୀ ଉପାସନା ମହାପାତ୍ର, ଦଳୀୟ କର୍ମୀ ଉତ୍ତମ କୁମାର ତରେଇ, ପିରିଜିପୁର ସରପଞ୍ଚ ମଳୟ କୁମାର ଜେନା, ସାତପଡ଼ା ପଞ୍ଚାୟତ ସରପଞ୍ଚ ରଶ୍ମିତା ସାମନ୍ତରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କେଳୁ ଚରଣ ଜେନା ପ୍ରମୁଖ ପାଛୋଟି ନେଇଥିଲେ। ଅନ୍ୟପଟେ ବିଳମ୍ବ କାରଣରୁ ଆଜି ସାତପଡ଼ା ଓ ପୁରୀ ପେଣ୍ଠକଟାରେ ଥିବା ‘ସାଗର ପରିକ୍ରମା’ କାର୍ଯ୍ୟକ୍ରମକୁ ବାତିଲ୍ କରି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/fshfhfhfh.jpg)