ଓଡ଼ିଶାର ଚାଷୀଙ୍କୁ ମୋଦୀ ସରକାରଙ୍କ ସହାୟତା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ୍‌ : ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ କେନ୍ଦ୍ରରୁ ମିଳିଛି ୬୦,୮୩୬ କୋଟି

ଓଡିଶାର ଚାଷୀଙ୍କ ଠାରୁ ୫୩,୬୮୦.୨୫ କୋଟିର ଧାନ କିଣା ହୋଇଛି

ଭୁବନେଶ୍ୱର : ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି। ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ, ଫସଲ ବୀମା ଜରିଆରେ ମୋଟ ୬୦,୮୩୬.୯୭ କୋଟି ଟଙ୍କା ଅର୍ଥ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଚାଷୀଙ୍କୁ ସଶକ୍ତ କରିବା ପାଇଁ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଚାଷୀମାନଙ୍କ ପାଇଁ ଚାଷର ସମ୍ଭାବ୍ୟ ବ୍ୟବହାରକୁ ବଢ଼ାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପଦକ୍ଷେପ ନିଆଯାଇଛି। ମୋଦୀ ସରକାର ୨୦୧୪-୧୫ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଚାଷୀଙ୍କ ଠାରୁ ଏମ୍‌ଏସ୍‌ପି ମୂଲ୍ୟ ବାବଦରେ ଧାନ କିଣି ବ୍ୟାଙ୍କ୍ ଖାତାକୁ ସିଧାସଳଖ ୫୩,୬୮୦.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗତ ୬ ବର୍ଷ ମଧ୍ୟରେ ଏମ୍‌ଏସ୍‌ପିର ଦ୍ରୁତ ବୃଦ୍ଧି ଚାଷୀମାନଙ୍କୁ ଅଧିକ ଲାଭ ଦେଇଛି। ୨୦୧୩-୧୪ରେ ଧାନର ଏମ୍‌ଏସ୍‌ପି ମୂଲ୍ୟ ୧୩୧୦ ଟଙ୍କା ଥିଲା ବେଳେ ତାହା ପରବର୍ତ୍ତୀ ବର୍ଷଗୁଡ଼ିକରେ ବଢ଼ି ୨୦୨୦-୨୧ରେ ୧୮୬୮ ଟଙ୍କା‌େ‌ର ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ନଭେମ୍ବର ମାସ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଉପକୃତ ହୋଇଛନ୍ତି। ଫସଲ କରିବା ପାଇଁ ଅତିରିକ୍ତ ସହଯୋଗ ଏବଂ ପରିବାରର ଭରଣପୋଷଣ ପାଇଁ ୨୦୧୮-୧୯ ଠାରୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨,୭୩୧.୮୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୧୮-୧୯ରେ ୧୯୪.୭୫ କୋଟି, ୨୦୧୯ -୨୦ରେ ୧୬୮୬.୫୮ କୋଟି ଏବଂ ୨୦୨୦-୨୧ ନଭେମ୍ବର ମାସ ସୁଦ୍ଧା ୮୫୦.୩୫ କୋଟି ଟଙ୍କା ସମସ୍ତ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍ କରାଯାଇଛି। ୨୦୧୬-୧୭ ଠାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଓଡ଼ିଶାର ୨୦.୯୪ ଲକ୍ଷ ଚାଷୀଙ୍କୁ ମୋଟ ୪,୪୨୪.୮୫ କୋଟି ଟଙ୍କା ଦିଆଯାଇଛି। ମୋଦୀ ସରକାର ଆମ ଅର୍ଥନୀତିର ମେରୁଦଣ୍ଡକୁ ସୁଦୃଢ଼ କରିବା ଓ ଓଡ଼ିଶା ସମେତ ସମଗ୍ର ଦେଶର ଚାଷୀଙ୍କ କଲ୍ୟାଣ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର