ଭୁବନେଶ୍ୱର: ଭାରତ ଛାଡ଼ ଆନ୍ଦୋଳନ ଡାକରାର ୮୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶରେ ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟୀକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ଼ ଆନ୍ଦୋଳନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଗାଁ, ପଞ୍ଚାୟତ, ବ୍ଲକ୍, ଜିଲ୍ଲା, ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ଏହି ଆନ୍ଦୋଳନକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ଆବେଦନ କରିଛନ୍ତି ଶ୍ରୀ ପ୍ରଧାନ।
ଏକ ଭିଡିଓ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ହେଉଛି ଏକ ସ୍ମରଣୀୟ ଓ ପ୍ରେରଣାଦାୟୀ ଦିନ। ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଅଂହିସାର ପୂଜାରୀ ପୂଜ୍ୟ ବାପୁ ଇଂରେଜ ଶାସକଙ୍କ ବିରୋଧରେ ‘ଭାରତ ଛାଡ଼’ ଆନ୍ଦୋଳନ ଡାକରା ଦେଇଥିଲେ। ଗାନ୍ଧିଜୀଙ୍କ ଏହି ଡାକରା ବ୍ରିଟିଶ ସରକାରକୁ ଦୋହଲାଇ ଦେଇଥିଲା ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଏକ ନିର୍ଣ୍ଣାୟକ ମୋଡ଼ ଦେଇଥିଲା। ଆମ ରାଜ୍ୟ ଓଡ଼ିଶାରେ ଗାନ୍ଧିଜୀଙ୍କ ଭାରତ ଛାଡ଼ ଡାକରା ସାଧାରଣ ଲୋକଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ଉଦ୍ଦୀପନା ଆଣିଦେଇଥିଲା। ଗାନ୍ଧିଜୀଙ୍କ ଡାକରାରେ ଉଦ୍ବୁଦ୍ଧ ହୋଇ ଡକ୍ଟର ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ରମାଦେବୀ ତଥା ଅନେକ ପ୍ରମୁଖ ନେତା ଏହି ଆନ୍ଦୋଳନରେ ଝାସ ଦେଇଥିଲେ। ଗାନ୍ଧିଜୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଓଡ଼ିଶାର ବରପୁତ୍ର ପବିତ୍ରମୋହନ ପ୍ରଧାନ ୧୯୪୨ରେ ଜେଲରୁ ଖସିଆସି ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ନିଜର ଅନନ୍ୟ ସାହସର ପରିଚୟ ଦେଇଥିଲେ। କୋରାପୁଟର ଲକ୍ଷ୍ମଣ ନାଏକ ଫାଶୀ ଖୁଣ୍ଟରେ ପ୍ରାଣବଳି ଦେବା ଦେଶପ୍ରୀତିର ଚରମ ନିଦର୍ଶନ। ବରଗଡ଼ର ପାଣିମୋରା ଗାଁରୁ ୩୬ ଜଣ ଯୁବକ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିବା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଉଜ୍ଜ୍ୱଳ ଅଧ୍ୟାୟ। ଭଦ୍ରକର ଇରମଠାରେ ବ୍ରିଟିସ ଗୁଳିମାଡରେ ୨୯ ଜଣ ସଂଗ୍ରାମୀ ସହିଦ ହେବା, ନବରଙ୍ଗପୁରର ପାପଡାହାଣ୍ଡିଠାରେ ୧୯ ଜଣ ସହିଦ ହେବା ଇତ୍ୟାଦି ୧୯୪୨ ‘ଭାରତ ଛାଡ଼’ ଆନ୍ଦୋଳନର ଅବିସ୍ମରଣୀୟ ଘଟଣା। ସେହି ସ୍ୱାଧୀନତା ସଂଗ୍ରାମୀ ତଥା ସହିଦମାନଙ୍କ ପ୍ରାଣବଳି ଦ୍ୱାରା ମିଳିଥିବା ସ୍ୱାଧୀନତା ଆମ ଭାରତବର୍ଷକୁ ଗରିମାମୟ କରିଛି।
ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରି ସାରିଛି। ଭାରତବର୍ଷ ‘ଅମୃତକାଳ’ରେ ପ୍ରବେଶ କରିଛି ଏବଂ ୨୦୪୭ ବେଳକୁ ଏକ ବିକଶିତ ରାଷ୍ଟ୍ର ହେବାର ସଂକଳ୍ପ ନେଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱରେ ସମଗ୍ର ବିଶ୍ୱରେ ଭାରତବର୍ଷ ଏକ ଦାୟିତ୍ୱସମ୍ପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ନୂଆ ପରିଚୟ ସୃଷ୍ଟି କରିଛି। ଭାରତବର୍ଷର ଜନକଲ୍ୟାଣକାରୀ ଏବଂ ସମାବେଶୀ ନୀତି ସାଧାରଣ ମଣିଷର ଜୀବନଶୈଳୀକୁ ସୁରକ୍ଷିତ ଓ ଦୃଢ କରିଛି। ମହିଳା, ଯୁବପିଢି ତଥା ବଞ୍ଚିତ ବର୍ଗର ଲୋକମାନେ ଆଜି ଆଶା ଓ ଉତ୍ସାହର ସହ ନିଜ ପରିବାର ଏବଂ ସମାଜ ପାଇଁ ମୂଲ୍ୟବାନ ଯୋଗଦାନ ରଖୁଛନ୍ତି। କିନ୍ତୁ ଭାରତବର୍ଷର ପ୍ରଗତିରେ ଭ୍ରଷ୍ଟାଚାର, ବଂଶବାଦ ଓ ତୁଷ୍ଟୀକରଣ ମନୋବୃତ୍ତି ଆଧାରିତ ରାଜନୀତି ବାଧକ ସାଜିଛି। ଏହା ଭାରତବର୍ଷକୁ ଏକ ପ୍ରଗତିଶୀଳ, ବିକଶିତ ଏବଂ ସ୍ଥିର ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଗଢି ତୋଳିବାର ପ୍ରକ୍ରିୟାରେ ବାଧକ ହୋଇଛି। ତେଣୁ ଗାନ୍ଧିଜୀଙ୍କ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନର ପ୍ରାସଙ୍ଗିକତା ଆଜି ଆହୁରି ବଢିଯାଇଛି। ଆଜି ଆମେ ସମସ୍ତେ ଏହି ଭ୍ରଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟୀକରଣ ରାଜନୀତି ବିରୋଧରେ ଭାରତ ଛାଡ଼ ଆନ୍ଦୋଳନ କରିବା। ଭ୍ରାଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟୀକରଣ ରାଜନୀତି କରୁଥିବା ଅପଶକ୍ତିମାନଙ୍କଠାରୁ ଭାରତକୁ ସୁରକ୍ଷିତ ରଖିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା। ଏହା ବିକଶିତ ଭାରତବର୍ଷ ନିର୍ମାଣକୁ ସୁନିଶ୍ଚିତ କରିବ। ଏହା ହିଁ ଆଜି ଦିନରେ ଗାନ୍ଧିଜୀ ତଥା ସ୍ୱାଧୀନତା ସଂଗ୍ରାମୀ ଓ ସହିଦମାନଙ୍କ ପ୍ରତି ସର୍ବୋକୃଷ୍ଟ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି।