କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର : ୧୭ ପର୍ଯ୍ୟଟନସ୍ଥଳୀ ଭିତରେ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରକୁ ସାମିଲ୍ କରାଯାଉ

ଭୁବନେଶ୍ବର : ୨୦୧୯-୨୦ କେନ୍ଦ୍ର ବଜେଟ୍‌ରେ ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀକୁ ବିକଶିତ କରାଯିବ ବୋଲି ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ ଏଥିରେ ସ୍ଥାନ ପାଇ ନାହିଁ। ଏ ସମ୍ପର୍କରେ ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯିବା ପାଇଁ ‌େସ ଅନୁରୋଧ କରିଛନ୍ତି।

ଚିଠିରେ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି, ଓଡ଼ିଶାରେ କଳା, ଭାସ୍କର୍ଯ୍ୟ ତଥା ସଂସ୍କୃତି ଓ ପର୍ଯ୍ୟଟନର ଧାରା ପରିସ୍ଫୁଟ। ବିଶେଷତଃ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ପରି ପବିତ୍ର ସ୍ଥଳୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ହିନ୍ଦୁଙ୍କ ପବିତ୍ର ଚାରି ଧାମ ମଧ୍ୟରୁ ପୁରୀ ଜଗନ୍ନାଥ ମନ୍ଦିର ଅନ୍ୟତମ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ମଧ୍ୟ ଏଠାରେ ଅନୁଷ୍ଠିତ ହୁଏ। କୋଣାର୍କର ସୂର୍ଯ୍ୟ ମନ୍ଦିର ଓଡ଼ିଶାର କଳାକୃତୀର ପରିଚୟ ଦିଏ ଏବଂ ଏହା ବିଶ୍ବସ୍ତରରେ ମାନ୍ୟତା ପାଇଛି। ଓଡ଼ିଶାର ସ୍ବର୍ଣ୍ଣ ତ୍ରିଭୁଜ ଭୁବନେଶ୍ବର-ପୁରୀ-କୋଣାର୍କ ବିଶ୍ବର ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ଦେବା ପାଇଁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର