ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନଠାରୁ ଆରମ୍ଭ କରି ବଣ୍ଟନ ବ୍ୟବସ୍ଥାରେ କାମ କରୁଥିବା ଇଞ୍ଜିନିୟରମାନଙ୍କ ସଂଘ ‘ଅଲ୍‌ ଓଡ଼ିଶା ପାୱାର ଇଞ୍ଜିନିୟର୍ସ ଫେଡେରେସନ୍‌’ ୧୨ଦଫା ଦାବି ନେଇ ୨୦ ଦିନ କାଳ ନିରବ ପ୍ରତିବାଦ କଲା। ହେଲେ କେହି ଶୁଣିଲେନି। ଆଲୋଚନାକୁ ମଧ୍ୟ ଡାକିଲେ ନାହିଁ। ଏଣୁ ଫେଡେରେସନ ଆଜିଠାରୁ ରିଲେ ସତ୍ୟାଗ୍ରହ ଆରମ୍ଭ କରିଛି। ଗ୍ରିଡ୍‌କୋ ଓ ଓପିଟିସିଏଲ୍‌ ଅଫିସ୍‌ ସାମ୍ନାରେ କର୍ମଚାରୀମାନେ ବସି ରହିଛନ୍ତି। ଏହି ରିଲେ ସତ୍ୟାଗ୍ରହ ୭ ଦିନ ଧରି ଚାଲିବ। ଏଥିରେ ସରକାର କର୍ଣ୍ଣପାତ ନ କଲେ ଆଗକୁ ସଂଘ ଚରମ ନିଷ୍ପତ୍ତି ନେବ ବୋଲି ଚେତାବନୀ ଦେଇଛି। ସାଧାରଣ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ରିଲେ ସତ୍ୟାଗ୍ରହ ଯୋଗୁ ବିଦ୍ୟୁତ୍‌ ସେବା ପ୍ରଭାବିତ ହେବ ନାହିଁ ବୋଲି ଫେଡେରେସନ ମହାସଚିବ ବ୍ରହ୍ମପ୍ରକାଶ ପାଇଟାଳ ସୂଚନା ଦେଇଛନ୍ତି। ଫେଡେରେସନ ଅଧ୍ୟକ୍ଷ ଧନଞ୍ଜୟ ପ୍ରଧାନଙ୍କ ନେତୃତ୍ବରେ ଦଫା ଦଫାରେ କର୍ମଚାରୀମାନେ ସପ୍ତାହେ କାଳ ସତ୍ୟାଗ୍ରହରେ ବସିବେ।

Advertisment

ଫେଡେରେସନର ମହାସଚିବଙ୍କ ସୂଚନା ମୁତାବକ, ଗତ ୨୬ ତାରିଖରୁ ଇଞ୍ଜିନିୟରମାନେ କଳାବ୍ୟାଜ୍‌ ପିନ୍ଧି ୭ ଦିନ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବ‌ା ବେଳେ ମହମବତି ଜାଳି ୭ ଦିନ ବସି ରହିଥିଲେ। କିନ୍ତୁ କିଛି ଲାଭ ନ ହେବାରୁ ଆଉ ୭ ଦିନ ମହମବତି ଶୋଭାଯାତ୍ରା କରିଥିଲେ। କିନ୍ତୁ ଦାବି ପୂରଣ ନ ହେବାରୁ ଏହି ରିଲେ ସତ୍ୟାଗ୍ରହ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁଛି। ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ବିପଦସଂକୁଳ ଭାବେ କାମ କରୁଥିବାରୁ ଅନ୍ୟ ସରକାରୀ ଇଞ୍ଜିନିୟରଙ୍କଠାରୁ ୨୫ପ୍ରତିଶତ ଅଧିକ ଦରମା, ୪ଟି ସମୟ ବଦ୍ଧ ବେତନ, ପ୍ରତି ୫ ବର୍ଷରେ ବେତନ ନିର୍ଦ୍ଧାରଣ, କ୍ୟାଡର ପୁନର୍ଗଠନ, ଇଞ୍ଜିନିୟରଙ୍କ ମୂଳ ପଦବି ୨୦୧୩ରେ ରାଜ୍ୟ ସରକାର କରିଥିବା ଢାଞ୍ଚାରେ ଉନ୍ନୀତ, ନୂଆ କରି ସୃଷ୍ଟି କରାଯାଉଥ‌ିବା ସମସ୍ତ ପଦବି ମୂଳ ଇଞ୍ଜିନିୟର ଓ ଅଫିସର୍ କ୍ୟାଡର୍‌ରେ ସୃଷ୍ଟି କରାଯିବା ଓ ବେଆଇନ ନିଯୁକ୍ତି ବାତିଲ, ପୁରୁଣା ପେନସନର ପୁନଃ ପ୍ରଚଳନ, ପୁନର୍ବାସ ଓ ଥଇଥାନ ସହାୟତା ରାଶି ୧୦ ଲକ୍ଷରୁ ୧ କୋଟିକୁ ବୃଦ୍ଧି, ଓପିଟିସିଏଲରେ ‘ଟିବିସିବି ଓ ଆସେଟ ମନିଟାଇଜେସନ’ର ପ୍ରବର୍ତ୍ତନ ପ୍ରକ୍ରିୟା ରଦ୍ଦ, ଓପିଜିସିର ‘ଡିସ୍‌-ଇନଭେଷ୍ଟମେଣ୍ଟ’ ବାତିଲ କରିବା ପ୍ରମୁଖ ରହିଛି। ତେବେ ଗତ ମାସରୁ ଚାଲିଥିବା ବିକ୍ଷୋଭ ପାଇଁ ଟିପିଡବ୍ଲୁଓଡିଏଲ୍‌ ୨ଶହ ଜଣଙ୍କୁ ଆକ୍ରୋଶମୂଳକ ଭାବରେ ସ୍ଥାନାନ୍ତର ଆଦେଶ ଦେଇଛି। କୌଣସି କାର୍ଯ୍ୟ ପ୍ରଭାବିତ ନ ହୋଇ ଆନ୍ଦୋଳନ ଚାଲିଥିଲେ ମଧ୍ୟ ଏଭଳି ବଦଳିକୁ ବେଆଇନ ବୋଲି କହିବା ସହ ଆଦେଶ ବାତିଲ କରିବାକୁ ସଂଘ ଦାବି କରିଛି।

ସଂଘର ଅଭିଯୋଗ ମୁତାବକ, ବିଦ୍ୟୁତ ଆବଣ୍ଟନ ବ୍ୟବସ୍ଥା ଘରୋଇକରଣ ହେବା ପରେ ସମାନ ପାହ୍ୟାରେ ଦରମା ପ୍ରଦାନରେ ବ୍ୟାପକ ଅସଙ୍ଗତି ସୃଷ୍ଟି ହୋଇଛି। ଟାଟା ପାୱାର ନିଯୁକ୍ତି ଦେଇଥିବା ଇଞ୍ଜିନିୟର ସମାନ କାମ ପାଇଁ ଅଧିକ ଦରମା ପାଉଛନ୍ତି। ସାରା ଭାରତବର୍ଷରେ ଓଡ଼ିଶା ଏକ ଅଲୋଡା ରେକର୍ଡ ସୃଷ୍ଟି କରିଛି। ସେହିଭଳି ଇଞ୍ଜିନିୟରମାନଙ୍କର ପଦବି ମ୍ୟାନେଜର କରିଦେଇଛନ୍ତି। ଫଳରେ ସମ୍ମାନ ରହୁନାହିଁ। ବିନା ଅର୍ଥ ଖର୍ଚ୍ଚରେ ଏହି ପଦବିକୁ ଇଞ୍ଜିନିୟର କରାଯାଇ ପାରିବ, କିନ୍ତୁ ଏହାକୁ ମଧ୍ୟ କରାଯାଉନି। ୧୯୯୫ ମସିହାରେ ଓଏସ୍‌ଇବି କର୍ପୋରେସନ୍‌ ହେଲା ପରେ ମଧ୍ୟ ସରକାର ଓ ନିଗମ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଇଞ୍ଜିନିୟରମାନଙ୍କର ନାର୍ଯ୍ୟ ଦାବିକୁ ଉପେକ୍ଷା କରୁଛନ୍ତି।