କଂଗ୍ରେସ ଶାସିତ ରାଜ୍ୟ ପେଟ୍ରୋଲ୍, ଡିଜେଲ୍ ଉପରେ ୫ ଟଙ୍କା ଭ୍ୟାଟ୍ ବଢ଼ାଇଛନ୍ତି

କଂଗ୍ରେସ ଅଧ୍ୟକ୍ଷାଙ୍କ ବିବୃତି ଉପରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ ଗଣମାଧ୍ୟମରେ ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ କରୋନା ମହାମାରୀ କାରଣରୁ ଉର୍ଜା ଶିଳ୍ପ କଠିନ ସମୟ ଦେଇ ଗତି କରୁଛି ଏବଂ ଏପ୍ରିଲ ଓ ମେ ମାସରେ ପେଟ୍ରୋଲ୍‌ ଓ ଡିଜେଲ୍‌ର ଚାହିଦା ୭୦ରୁ ୮୦ ପ୍ରତିଶତ କମି ଯାଇଥିଲା। ଏହାର ସିଧା ପ୍ରଭାବ ଦେଶ ତଥା ରାଜ୍ୟ ଅର୍ଥନୀତି ଉପରେ ପଡ଼ିଥିଲା। ଜୁନ୍‌ ମାସରେ ପରିସ୍ଥିତି ସ୍ୱାଭାବିକ ହୋଇଛି। କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ପୁଡ଼ୁଚେରି ଗତ ମାସରେ ପେଟ୍ରୋଲ ଉପରେ ୫ ଟଙ୍କା ଭ୍ୟାଟ୍ ବୃଦ୍ଧି କରିଛନ୍ତି । ଦେଶର ସମସ୍ତ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍ ବୃଦ୍ଧି କରିଛନ୍ତି। କରୋନା ମହମାରୀକୁ ଲଢ଼ିବା ପାଇଁ ଆଜି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଲୋକ କଲ୍ୟାଣ ଯୋଜନା ପାଇଁ କାମ କରୁଛନ୍ତି।

କଂଗ୍ରେସକୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସର ସଂସ୍କାର କେବଳ ରାଜସ୍ୱ ଲୁଟିବା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସ୍କାର ଗରିବ ତଥା ମଧ୍ୟବିତ୍ତଙ୍କ ସେବା କରିବା। କଂଗ୍ରେସକୁ ଲମ୍ବା ସମୟ ଧରି ଦେଶର ଶାସନ ଭାର ସମ୍ଭାଳିବାର ଦାୟିତ୍ୱ ମିଳିଥିଲା, ମାତ୍ର ଏହାର ପରିଣାମ ଦେଶ ସାମ୍ନାରେ ଅଛି। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତରେ ମୋଦୀ ସରକାରରେ ଗରିବ ଲୋକଙ୍କ ଆକାଣ୍ଟ୍‌ରେ ଡିବିଟି ମାଧ୍ୟମରେ ଟଙ୍କା ପଠାଯାଉଛି। ମାତ୍ର କଂଗ୍ରେସର ସଂସ୍କାରରେ ଅନ୍ୟଜଣଙ୍କ ଆକାଉଣ୍ଟ୍‌ରେ ଏବଂ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ ଆକାଉଣ୍ଟ୍‌ରେ ଡିବିଟି କରାଯାଉଥିଲା। ଏବେ ଗରିବଙ୍କୁ ଚାଉଳ, ଜନଧନରେ ଟଙ୍କା, କିଷାନ ସମ୍ମାନ ନିଧିରେ ଟଙ୍କା, ମାଗଣାରେ ଉଜ୍ଜଳା ଯୋଜନାରେ ଗ୍ୟାସ, ଇପିଏଫରେ ଟଙ୍କା ଦିଆଯାଇଛି। ଗରିବ ତଥା ମଧ୍ୟବିତ୍ତଙ୍କ କଲ୍ୟାଣ ଚିନ୍ତା କରିବା ତଥା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ୩ ଲକ୍ଷ କୋଟି ବିନା ବନ୍ଧକରେ ଋଣ ଦେବାର ବ୍ୟବସ୍ଥା କରାଯାଇଛି। ଜାତୀୟ ରାଜପଥ, ରେଳ, ବେସାମରିକ ବିମାନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବ୍ୟବସ୍ଥା କରାଯାଇଛି। ଗତ ତିନି ମାସରେ ୪୨ କୋଟି ଲୋକଙ୍କୁ ଜୁନ ୨୦ ସୁଦ୍ଧା ୬୫,୪୫୪ କୋଟି ଟଙ୍କା ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଡିବିଟି ମାଧ୍ୟମରେ ପଠାଯାଇଛି।

ସମ୍ବନ୍ଧିତ ଖବର