କଟକରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ: ‘ଏବେ ବି ଭାଇ ଡାକ ଶୁଣିବାର ଆଗ୍ରହ ରହିଛି’

କଟକ : କଟକରେ ଜିଲ୍ଲାପାଳ ଥିବାବେଳେ ତାଙ୍କୁ ଲୋକ ଭାଇ ବୋଲି ଡାକୁଥିଲେ। ଆଜି ବି ସେହି ଭାଇ ଡାକ ଶୁଣିବାକୁ ତାଙ୍କର ଆଗ୍ରହ ରହିଛି। କଟକ ସହର ବି ଭାଇଚାରା, ସଂସ୍କୃତି ଓ ଦହିବରାର ସହର। ଏ ସହର ତାଙ୍କୁ ଅନେକ କିଛି ଦେଇଛି, ଶ୍ରଦ୍ଧା ଦେଇଛି। ତେଣୁ କଟକ ସହର ପାଖରେ ସବୁବେଳେ ସେ ଋଣୀ। ସେହି ଋଣ ଶୁଝିବାର ସମୟ ଆସଛି। କଟକ ଗସ୍ତରେ ଆସିଥିବା ଅବସରରେ ଅତ୍ୟନ୍ତ ଭାବପ୍ରବଣ ହୋଇ ଏହିଭଳି ମତ ରଖିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହି ଗସ୍ତ ସମୟରେ ସେ କଟକ ରେଳଷ୍ଟେସନ ଦ୍ବିତୀୟ ପ୍ରବେଶପଥ ଉନ୍ନତୀକରଣର ଶିଳାନ୍ୟାସ କରିଛନ୍ତି।

କେନ୍ଦ୍ର ରେଳ, ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ଦିନ କଟକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସକାଳେ କଟକ ଚଣ୍ଡୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା ସହିତ ଚଣ୍ଡୀ ମନ୍ଦିର ଉନ୍ନତୀକରଣ ପାଇଁ ପୂଜକମାନଙ୍କ ସହିତ ଆଲୋଚନା କରିଥିଲେ। ପରେ କଟକ ରେଳଷ୍ଟେସନ ପରିଦର୍ଶନ କରି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କଟକ ରେଳଷ୍ଟେସନର ଦ୍ବିତୀୟ ପ୍ରବେଶପଥର ଉନ୍ନତୀକରଣର କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ‌ଏହି ଅବସରରେ ସେ କହିଥିଲେ ଯେ, କଟକ ରେଳ ଷ୍ଟେସନ ବିକାଶ ପାଇଁ ରେଳବାଇ ପ୍ରତିଶ୍ରୁତିବଦ୍ଧ। କଟକ ଷ୍ଟେସନ ଦ୍ବିତୀୟ ପ୍ରବେଶ ପଥର ବିକାଶ କାର୍ଯ୍ୟ ମଧ୍ୟରେ ଦୁଇ/ତିନି ଓ ଚାରି ଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥ‌ା, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ରହିବା ପାଇଁ ବ୍ୟବସ୍ଥା କରାଯିବ। ସଂପ୍ରସ‌ାରିତ ଆପ୍ରୋଚ୍ ରୋଡ୍ ନିର୍ମାଣ କରାଯାଇ ଜାତୀୟ ରାଜପଥ ସହିତ ସଂ‌ଯୋଗ କରାଯିବ ବୋଲି ସେ କହିଥିଲେ।

କଟକ ରେଳ ଷ୍ଟେସନଠାରେ ଅନୁଷ୍ଠିତ ଏହି ଉତ୍ସବରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ସୌଭିକ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥି‌ଲେ। ସାଂସଦ ଶ୍ରୀ ମହତାବ ଭିଡିଓ କନଫରେନସିଂରେ କାର୍ଯ୍ୟକ୍ରମରେ ଯୋଡ଼ିହୋଇଥି‌ଲେ। ଶିଳାନ୍ୟାସ ପରେ ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନ ନିରୀକ୍ଷଣ କରି ଷ୍ଟେସନର ବିକାଶମୂଳକ କାର୍ଯ୍ୟ ତଥା ରହିଥିବା ସୁବିଧାର ଅନୁଧ୍ୟାନ କରିଥିଲେ। ପୂର୍ବତଟ ଏବଂ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ ପୂର୍ବ ତଟ ରେଳପଥ ପ୍ରଦର୍ଶନ କରିଥିବା ସଫଳତା ଉପରେ ଆଲୋକପାତ କରିଥିଲେ। ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ତ‌ାଳଦଣ୍ଡା କେନାଲରାସ୍ତା ସଂପ୍ରସାରଣ ପାଇଁ ମାଲଗୋଦାମରେ ଥିବା ରେଳବାଇ ଜମିରେ ରାସ୍ତା ନିର୍ମାଣକୁ କଟକ ଜିଲ୍ଲାପାଳ ଓ କମିସନରଙ୍କ ଉପସ୍ଥିତିରେ ଶ୍ରୀ ବୈଷ୍ଣବ ସ୍ବୀକୃତି ଦେବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ମହାପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର