ବଲାଙ୍ଗୀର ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ, ସମସ୍ତଙ୍କ ନଜର ଖୋର୍ଦ୍ଧା-ବଲାଙ୍ଗୀର ଉପରେ କଣ କହିବେ?

ବଲାଙ୍ଗୀର : ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ଦାୟିତ୍ୱ ନେବାର ପ୍ରାୟ ଗୋଟିଏ ସପ୍ତାହ ପରେ ଅଧ ରାତିରେ ଓଡ଼ିଶା ରେଳମ୍ୟାପ ଧରି ଅଧୁରା ପ୍ରକଳ୍ପ ସଂର୍ପକରେ ସମୀକ୍ଷା କରିଥିଲେ। ଆଉ ଏକ ଟ୍ୱିଟ କରିଥିଲେ। ଯେଉଁଥିରେ ଖୋର୍ଦ୍ଧା- ବଲାଙ୍ଗୀର ସ୍ଥିତି କଣ? ବୋଲି ସେ କହୁଥିବା ସ୍ପଷ୍ଟ ହୋଇଥିଲା। ସେହି ସମୀକ୍ଷାରେ ଓଡ଼ିଶା ଫୋକସରେ ଖୋର୍ଦ୍ଧା-ବଲାଙ୍ଗୀର ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କାରଣ ଖୋର୍ଦ୍ଧା- ବଲାଙ୍ଗୀର କେବଳ ଏକ ରେଳଲାଇନ ନୁହେଁ ଏହା ପୂର୍ବ ଓ ପଶ୍ଚିମ ଓଡ଼ିଶାର ସଂର୍ପକ ଓ ସଂସ୍କୃତିରେ ସେତୁ।

ସୂଚନାଯୋଗ୍ୟ ଯେ ୨୦୧୯ ମସିହା ଜାନୁଆରି ୧୫ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ବଲାଙ୍ଗୀର ପଟରୁ ବିଛୁପାଲି ଯାଏ ରେଳ ଚଳାଚଳ ଆରମ୍ଭ କରିଥିଲେ। ଆଉ ତାପରେ ଏବେବି ମାତ୍ର ୧୯ କିମି ବଲାଙ୍ଗୀର ବିଛୁପାଲି ପାସେଞ୍ଜର ଟ୍ରେନ୍‌ ଚାଲୁଛି। ଖାଲି ସେତେକି ନୁହେଁ, ପ୍ରକଳ୍ପକୁ ତ୍ୱରାନ୍ବିତ କରି ୨୦୨୧ ପର୍ଯ୍ୟନ୍ତ ସଂପୂର୍ଣ୍ଣ କରିବା ପାଇଁ ୨୦୧୫ ସମିହା ଜୁଲାଇ ୨୦ ତାରିଖ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ୫୦-୫୦ର ଚୁକ୍ତିନାମା ହୋଇଥିଲା। ହେଲେ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ଯୋଗୁଁ ଟାର୍ଗେଟ ସମୟ ଭିତରେ ସଂପୂର୍ଣ୍ଣ ହୋଇପାରିନି। ହେଲେ ବର୍ତ୍ତମାନ ଗତ କିଛିମାସ ହେଲା କାମ ଟିକିଏ ତ୍ୱରାନ୍ୱିତ ହୋଇଛି।

ତେବେ ବଲାଙ୍ଗୀର ପଟୁ ବୌଦ୍ଧ ପର୍ଯ୍ୟନ୍ତ ସ୍ଥିତି ଦେଖିଲେ ବଲାଙ୍ଗୀର ଜିଲ୍ଲାରେ ୧୯ କିମି ରେଳପଥ ନିର୍ମାଣ ସରିଛି। ଟ୍ରେନ୍‌ ବି ଚାଲୁଛି। ସୁବର୍ଣ୍ଣପୁର ଜିଲ୍ଲାରେ ୪୯ କିମି ରେଳପଥ ନିର୍ମାଣ ହେବାକୁ ଥିବା ବେଳେ ଘରୋଇ, ସରକାରୀ ଓ ଜଙ୍ଗଲ ଜମି ମିଶି ୮୨୧ .୪୪୮ ହେକ୍ଟର ଜମି ଅଧିଗ୍ରହଣ ସରିଲାଣି। । ତେଣୁ ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ଜୋରସୋରରେ ରେଳପଥ ନିର୍ମାଣ କାମ ଜାରି ରହିଛି। ଠିକ ସେମିତି ବୌଦ୍ଧ ଜିଲ୍ଲାରେ ୧୧୦ କିମି ରେଳପଥ ନିର୍ମାଣ ହେବାକୁ ଥିବା ବେଳେ ୧୦୨ଟି ଗାଁର ଜମି ପ୍ରଭାବିତ ହେବ। ଘରୋଇ ଜମି ୨୧୫୮. ୬୫୫ ହେକ୍ଟର, ସରକାରୀ ଜମି ୯୦୮.୪୨୦ ହେକ୍ଟର ଓ ଜଙ୍ଗଲ ଜମି ୩୧୫.୫୪୯ ହେକ୍ଟର ଅଧିଗ୍ରହଣ ହୋଇସାରିଛି। ଉଭୟ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ଜମି ଅଧିଗ୍ରହଣ ସରିଥିବା ବେଳେ ଏବେ କିଛି କିଛି ଜାଗାରେ ମାଟି ଓ ପୋଲ କାମ ଚାଲିଛି।

୧୯୯୪- ୯୫ ସମିହାରେ ମଞ୍ଜୁର ପାଇଥିବା ଏହି ପ୍ରକଳ୍ପର ବ୍ୟୟ ଅଟକଳ ଥିଲା ମାତ୍ର ୪୦୦ କୋଟି। କିନ୍ତୁ ବିଳମ୍ବ ଯୋଗୁଁ ଏବେ ୪୦୦୦ କୋଟିରୁ ଟପିଗଲାଣି ବ୍ୟୟ ଅଟକଳ। ରେଳମନ୍ତ୍ରୀ ଆସିଲେ ଏହି ପ୍ରକଳ୍ପକୁ ନେଇ କଣ କହିବେ ସମସ୍ତଙ୍କ ନଜର ରହିଛି। ଆଉ ଜିଲ୍ଲାବାସୀ କିଛି ଭଲ ସୂଚନା କେନ୍ଦ୍ରମନ୍ତ୍ରୀଙ୍କ ନିକଟରୁ ପାଇବେ ବୋଲି ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର