ଭୁବନେଶ୍ବର : ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଚିପ୍ସ୍‌ ଅଫ୍‌ ଷ୍ଟାର୍ଟଅପ୍ (ସି୨ଏସ୍‌)। କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁମୋଦିତ ଏହି ପ୍ରକଳ୍ପ ଲାଗୁ କରିବାରେ ଆଇଆଇଟି ଦେଶର ୩୧ତମ ଅନୁଷ୍ଠାନ ହେବ। ଇଲେକ୍ଟ୍ରୋନିକ୍ସ ଚିପ୍ସକୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଇଆଇଟି କର୍ତୃପକ୍ଷଙ୍କୁ ଅନୁମୋଦନ ପତ୍ର ପ୍ରଦାନ କରିଛନ୍ତି। ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଲାଗି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ୭୪ ହଜାର ଷ୍ଟାର୍ଟଅପ୍ ରହିଛି। ମାତ୍ର ୨୦୧୪-୧୫ରେ ଏହି ସଂଖ୍ୟା ମାତ୍ର ୪୦୦ ଥିଲା। ଆଜାଦି କି ଅମୃତ ମହୋତ୍ସବ ଅବସରରେ ନୂତନ ଚିନ୍ତାଧାରା ଓ ନୂତନତ୍ୱ ଆଣିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ଦେଶର ୩୧ତମ ଅନୁଷ୍ଠାନ ଭାବେ ମିଳିଲା ମାନ୍ୟତା‌
୫ଜି ସ୍ପେକ୍ଟ୍ରମ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଗ୍ରହ
ଗତିଶକ୍ତି ବିଶ୍ବବିଦ୍ୟାଳୟ ସହ ହେବ ରାଜିନାମା

ଏଥିସହ ଭୁବନେଶ୍ବର ଆଇଆଇଟିରେ ୫ଜି ସ୍ପେକ୍ଟ୍ରମ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇ ସେ କହିଛନ୍ତି ଯେ ଯଦି ୫ଜି ବ୍ୟବହାର ପାଇଁ ଅତି କମ୍‌ରେ ୧୦ଟି କୌଶଳ ପରିକଳ୍ପନା କରି ଯୋଗାଇଦେବେ ତେବେ ଶିକ୍ଷାନୁଷ୍ଠାନକୁ ୫ଜି ବ୍ୟବହାରର ପ୍ରସ୍ତୁତି ଲାଗି ଉତ୍କର୍ଷ କେନ୍ଦ୍ର(ସେଣ୍ଟର ଅଫ୍‌ ଏକ୍ସଲେନ୍ସ)ର ମାନ୍ୟତା ଦିଆଯିବ। ଏଥିସହ ରେଳ ପ୍ରଯୁକ୍ତିବିଦ୍ୟା ଯଥା ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ଓ ଯୋଗଯୋଗର ବିକାଶ ଲାଗି ରେଳ ମନ୍ତ୍ରଣାଳୟର ଗତିଶକ୍ତି ବିଶ୍ବବିଦ୍ୟାଳୟ ସହ ଆଇଆଇଟି ଭୁବନେଶ୍ୱରର ରାଜିନାମା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ଅବସରରେ ଘୋଷଣା କରିଛନ୍ତି। ପ୍ରଥମ ଥର ଲାଗି ଆଇଆଇଟି ଗସ୍ତରେ ଆସିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏକାଡେମିକ, ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌(ଆଇସି) ଡିଜାଇନ୍‌, ସେମି-କଣ୍ଡକ୍ଟର ଟେକ୍ନୋଲୋଜି, ରେଲୱେ ଇଞ୍ଜିନିୟରିଂ ଯଥା ଥିକ୍‌ ରେଲ୍‌, ରେଲ୍‌ ଜଏଣ୍ଟ ଇଣ୍ଟିଗ୍ରିଟି ଟେଷ୍ଟିଂ ଆଦି ଉପରେ ଚାଲିଥିବା‌ ଗବେଷଣା କାର୍ଯ୍ୟକ୍ରମ ଏବଂ ତତ୍‌ସଂକ୍ରାନ୍ତୀୟ ବିଷୟ ଉପରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ବର ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ ଚେୟାରମ୍ୟାନ୍‌ ଆର ପି ସିଂ, କୁଳସଚିବ ଦେବରାଜ ରଥ, ଏକାଡେମିକ ଡିନ୍‌ ଏନ୍‌ ସି ସାହୁ, ଛାତ୍ର ମଙ୍ଗଳ ଡିନ୍‌ ପି ଭି ସତ୍ୟମ୍‌ଙ୍କ ସମେତ ସମସ୍ତ ସ୍କୁଲ ମୁଖ୍ୟ ଡିନ୍‌ ପ୍ରମୁଖ ଉପସ୍ଥିତ ଥିଲେ।