କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନୟାଗଡ଼ କାର୍ଯ୍ୟକ୍ରମ ବାତିଲ୍‌

ନୂଆଗାଁକୁ ଟ୍ରେନ୍‌ ଗଡ଼ିବା ସ୍ଥଗିତ, ସାଜସଜା ହଟାଗଲା, ପୁରୀକୁ ଟ୍ରେନ୍‌ ଗଡ଼ିବା ନେଇ ଘୋଷଣା ହୋଇଥାନ୍ତା

ନୟାଗଡ଼/ନୂଆଗାଁ : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦିନିକିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ମହିପୁରରୁ ନୂଆଗାଁକୁ ଟ୍ରେନ୍‌ ସେବାର ଶୁଭାରମ୍ଭ କରିଥାନ୍ତେ। ଏଥି ସହିତ ନୟାଗଡ଼ ଜିଲ୍ଲାରୁ ପୁରୀକୁ ଯେଭଳି ମହାମାରୀ ପୂର୍ବରୁ ସିଧାସଳଖ ଟ୍ରେନ୍‌ ଯାତ୍ରା କରୁଥିଲା, ତାହାର ପୁନଃ ଆରମ୍ଭ ବାବଦରେ ଘୋଷଣା କରିଥାନ୍ତେ। ସେବା ଏକ୍ସପ୍ରେସ୍‌ ବୋଲଗଡ଼ ପିଏଚ୍‌ର ରହଣି ବାବଦରେ ମଧ୍ୟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଥିଲା। ଆଜି(ସୋମବାର) ନୂଆଗାଁ ରେଳ ଷ୍ଟେସନ୍‌ରେ ସେ ପ୍ରାୟ ୪ଟା ୧୫ ମିନିଟ୍‌ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ତେବେ କୌଣସି କାରଣରୁ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ୍‌ ହୋଇଥିବାରୁ ଟ୍ରେନ୍‌ ଗଡ଼ିବା କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ ହୋଇଯାଇଛି। ଏନେଇ ନୂଆଗାଁ ରେଳ ‌ଷ୍ଟେସନ୍‌ରେ ଫୁଲରେ ସାଜସଜାଠାରୁ ଆରମ୍ଭ କରି ଟେଣ୍ଟ୍‌ ଆଦି ପ୍ରସ୍ତୁତ କରାଯାଇଥିବା ବେଳେ, ଏହାକୁ ଆଜି ହଟାଇ ଦିଆଯାଇଥିବା ଦେଖାଯାଇଛି।

ତେବେ ନୟାଗଡ଼ ଜିଲ୍ଲାକୁ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବାତିଲ୍‌ ନେଇ ପୂର୍ବତଟ ରେଳପଥ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ, ଏହାର କାରଣ ଜଣାପଡ଼ିନାହିଁ। ପରବର୍ତ୍ତୀ ଗସ୍ତ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କିଛି ସୂଚନା ମିଳିନଥିବା ବେଳେ, ଖୁବ୍‌ ନିକଟରେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୁଣି ନିର୍ଦ୍ଧାରିତ ହେବ ବୋଲି କୁହାଯାଉଛି। ମନ୍ତ୍ରୀଙ୍କ ନୟାଗଡ଼ ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ନେଇ ଖବର ମିଳିବା ପରେ ସାଧାରଣରେ ଖୁସି ପ୍ରକାଶ ପାଇଥିଲା। ମହିପୁରରୁ ନୂଆଗାଁକୁ ତ ଟ୍ରେନ୍‌ ଗଡ଼ିଥାନ୍ତା। କିନ୍ତୁ ପୂର୍ବଭଳି ପୁରୀକୁ ସିଧାସଳଖ ଟ୍ରେନ୍‌ ଯାତ୍ରାର ପୁନଃ ଆରମ୍ଭ ସମ୍ପର୍କରେ ମନ୍ତ୍ରୀଙ୍କ ଘୋଷଣାକୁ ସଭିଏଁ ଅନାଇ ବସିଥିଲେ। ନୂଆଗାଁରୁ ମହିପୁର, ମହିପୁରରୁ ନୟାଗଡ଼ ଟାଉନ୍‌ ‌ଷ୍ଟେସନ୍‌ ହୋଇ ଏହା ପୁରୀ ଯିବାର ଯୋଜନା ରହିଛି। ପୁରୀକୁ ସିଧାସଳଖ ଟ୍ରେନ୍‌ ସେବ‌ାର ପୁନଃ ଆରମ୍ଭ ନେଇ ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦାବି କରିବା ସହ ନୟାଗଡ଼ ନାଗରିକ ମଞ୍ଚ ଓ ଜନସାଧାରଣଙ୍କୁ ପକ୍ଷରୁ ଏନେଇ ଦାବି ହୋଇ ଆସୁଥିଲା। ଏପରିକି ନୟାଗଡ଼ ଜିଲ୍ଲା କଂଗ୍ରେସ ଏଥିନେଇ ଦାବି କରିବା ସହିତ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ ମଧ୍ୟ ଅଦାଲତର ଦ୍ବାରସ୍ଥ ‌ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ୨୮୯ କିମି ବିଶିଷ୍ଟ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନସ୍ଥ ନୟାଗଡ଼ ଜିଲ୍ଲାକୁ ପ୍ରଥମେ ୨୦୧୭ ଜୁନ ୧୯ ତାରିଖରେ ବୋଲଗଡ଼ ରୋଡ୍‌ରୁ ନୟାଗଡ଼ ଟାଉନ ‌‌ଷ୍ଟେସନ୍‌କୁ ଟ୍ରେନ୍‌ ଗଡ଼ିଥିଲା। ଏହା ପରେ ନୟାଗଡ଼ ଟାଉନ୍‌ ଓ ମହିପୁର ମଧ୍ୟରେ ୧୨ କିମି ରେଳ ଲାଇନ୍‌ରେ ୨୦୧୯ ଡି‌ସେମ୍ବର ୧୯ରେ ଟ୍ରେନ୍‌ ଚଳାଚଳ ହୋଇଥିଲା। ଏହା ପରେ ଚଳିତ ମାସ ୨୦ ତାରିଖରେ ମହିପୁରରୁ ନୂଆଗାଁ ମଧ୍ୟରେ ଟ୍ରେନ୍‌ ଚଳାଚଳ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା।

ସମ୍ବନ୍ଧିତ ଖବର