ମେଡିକାଲ କଲେଜ କାର୍ଯ୍ୟ ଦେଖିଲେ, ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଲେ

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ତିନିଦିନିଆ ଯାଜପୁର ଜିଲ୍ଲା ଗସ୍ତ

ଯାଜପୁରସଦର : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ତିନିଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି। ଶ୍ରୀ ମୁଣ୍ଡାଙ୍କୁ ଆଜି ବରୁଆଁ ଛକ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସ୍‌ପି ରାହୁଲ ପି.ଆର., ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡାଙ୍କୁ ସ୍ୱାଗତ କରିଥିଲେ। ବରୁଆଁ ଛକରୁ ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ନେତୃତ୍ବରେ ଜିଲ୍ଲା ବିଜେପିର ଛାମୁଆ କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ।

ମା’ ବିରଜାଙ୍କ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ର ଯୋଜନାର ସମୀକ୍ଷା କରିଥିଲେ। ପରେ ଶ୍ରୀ ମୁଣ୍ଡା ଯାଜପୁର ସହରରେ ନିର୍ମାଣାଧୀନ ମେଡିକାଲ କଲେଜ ବୁଲି ଦେଖିଥିଲେ। ପ୍ରକଳ୍ପ କେବେ ସଂପୂର୍ଣ୍ଣ ହେବବୋଲି ନିର୍ମାଣ ସଂସ୍ଥା କର୍ମଚାରୀଙ୍କୁ ପଚାରିଥିଲେ। ଅପରାହ୍ଣରେ ବିରଜା କଲ୍ୟାଣ ମଣ୍ଡପରେ ଦଳୀୟ କର୍ମୀଙ୍କୁ ନେଇ ଏକ ବୈଠକ ହୋଇଥିଲା। ପ୍ରତି ଦୁଇ ମାସରେ ଗସ୍ତ କରିବା ସହ କେନ୍ଦ୍ର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ କର୍ମୀମାନଙ୍କୁ ସୂଚନା ଦେଇଥିଲେ। ବୈଠକରେ ରାଜ୍ୟ ବିଜେପି ସମ୍ପାଦକ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଦଳୀୟ କର୍ମୀଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଦଳୀୟ କର୍ମକର୍ତ୍ତା ବୈଠକ ହୋଇଥିଲା। ଦୁଇଦୁଇଟି ବନ୍ୟା ପାଇଁ ଜିଲ୍ଲାର ବହୁଲୋକ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥିବା ସଭାପତି ଶ୍ରୀ ରୟ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବନ୍ୟା ବିପନ୍ନଙ୍କ ପାଇଁ ପ୍ରଶାସନ କିମ୍ବା ସରକାର ସେପରି କୌଣସି ଠୋସ୍‌ ପଦକ୍ଷେପ ନେଇନଥିବା ଅଭିଯୋଗ କରିଥିଲେ।

ବୈଠକରେ ବଡ଼ଚଣା ବିଜେପି ନେତା ଅମର ନାୟକ, କୋରେଇର ବିଶ୍ୱଜିତ ନାୟକ, ବିଂଝାରପୁରର ବବିତା ମଲ୍ଲିକ, ସୁକିନ୍ଦାର ପ୍ରଦୀପ ବଳସାମନ୍ତ ଓ ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହିଙ୍କ ସମେତ ଜିଲ୍ଲା ପ୍ରଭାରୀ ଶାରଦା ଶତପଥୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ଗୁରୁଚରଣ ଟିକାୟତ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁବାସ ମହାନ୍ତି, ଜିଲ୍ଲା ଉପସଭାପତି ତଥା ଯାଜପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ସଞ୍ଜୟ ନାୟକ, ମଣ୍ଡଳ ସଭାପତି ଅଧର ଧଳ, ନିରଞ୍ଜନ ସାହୁ, ଶଶଧର ବେହୁରିଆ, ସୁରଜଲାଲ ସାମଲ, ମୃତ୍ୟୁଞ୍ଜୟ ମିଶ୍ର, ମନ୍ମଥ ବରାଳ, ଜିତାମିତ୍ର ଦାସ, ସଂଗ୍ରାମ ପାତ୍ର, ଦୀପ୍ତିରେଖା ମିଶ୍ର, ଯୁବନେତା ଶକ୍ତିସୌରଭ ମହାପାତ୍ର, ସତ୍ୟଜିତ ସ୍ବାଇଁ, ହୃଷୀକେଶ ମେକାପଙ୍କ ସମେତ ବହୁ ଛାମୁଆ ନେତା, କର୍ମୀ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର