ହିଞ୍ଜିଳିକାଟୁ/ଛତ୍ରପୁର: କେନ୍ଦ୍ର ସରକାରଙ୍କ ଜଳଶକ୍ତି ବିଭାଗ ଅଧୀନ ପାନୀୟ ଜଳ ଓ ପରିମଳ ବିଭାଗୀୟ ସଚିବ ଭିନି ମହାଜନ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି। ହିଞ୍ଜିଳିକାଟୁ ବ୍ଲକ୍ ଶାସନଆମ୍ବଗାଁ ପଞ୍ଚାୟତକୁ ଯାଇ କେନ୍ଦ୍ରୀୟ ଅନୁଦାନ ପାଣ୍ଠି ବିନିଯୋଗରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳଯୋଗାଣ ଓ ପରିମଳ ସମ୍ପର୍କିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଥିଲେ। ଶାସନଆମ୍ବଗାଁରେ ଥିବା ଏମ୍‌ସିସି ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟ୍‌ରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ, ପୃଥକୀକରଣ ଓ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ପଞ୍ଚାୟତରେ ନିର୍ମିତ ହୋଇଥିବା ୧.୫ ଲକ୍ଷ କ୍ଷମତା ବିଶିଷ୍ଟ ୨ଟି ଭୂତଳ ଜଳଭଣ୍ଡାର ଓ ଉଚ୍ଚଜଳଭଣ୍ଡାର ସହ ବିଭିନ୍ନ ସାହି ଓ ବସ୍ତିକୁ ଯୋଗାଣ ହେଉଥିବା ପାନୀୟ ଜଳଯୋଗାଣ ବ୍ୟବସ୍ଥା ସଂପର୍କରେ ସ୍ଥାନୀୟ ଅଧିକାରୀଙ୍କଠୁ ତଥ୍ୟ ସଂଗ୍ରହ କରଥିଲେ। ସେଠାରୁ ବାଦିଆମ୍ବଗାଁ ଯାଇ ୨୫ଟି ନକଳୂପ ପରିଦର୍ଶନ ସହ ସନ୍ତୋଷ ପ୍ରକାଶ କରିଥିଲେ।

Advertisment

ସେହିପରି ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚମାଖଣ୍ଡି ପଞ୍ଚାୟତର ଯଜ୍ଞଶାଳା ଓ ବି.ତୋଟାପଲ୍ଲୀ ଗ୍ରାମକୁ ସଚିବ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ତଦାରଖ କରିଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ଏମ୍‌ସିସି ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟ୍ ବୁଲିଥିଲେ। ଏହାର ପରିଚାଳନା ସଂକ୍ରାନ୍ତରେ ଗ୍ରାମ୍ୟ କମିଟି ସଦସ୍ୟ, ସରପଞ୍ଚ ଓ ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନଙ୍କଠୁ ତଥ୍ୟ ସଂଗ୍ରହ କରିଥିଲେ। ପରେ ପିଇବା ପାଣି ବ୍ୟବସ୍ଥା ବିଷୟରେ ତଦାରଖ କରିବା ସହ ବି.ତୋଟାପଲ୍ଲୀ ଗ୍ରାମକୁ ଯାଇ ପାଇଖାନା ଏବଂ ସ‌ୋକପିଟ୍ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ରାଜ୍ୟ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଜି.ପରମେଶ୍ୱର, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍, ଅତିରିକ୍ତ ସିଇଓ ପ୍ରତାପ ଚନ୍ଦ୍ର ପ୍ରଧାନ, ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଛତ୍ରପୁର ଜଳ ଓ ପରିମଳ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ.ସୁରେଶଚନ୍ଦ୍ର ମହନ୍ତ, ବ୍ରହ୍ମପୁର ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଇଂ.ବିକାଶ ଚନ୍ଦ୍ର ସାମଲଙ୍କ ସମେତ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।