କପ୍ତିପଦା: ପୁରୀ ଶ୍ରୀକ୍ଷେତ୍ର ପରମ୍ପରା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ଦଧିବାମନ ଜିଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ। ଇତିହାସ କହେ; ୧୮୮୦ ମସିହାରେ କପ୍ତିପଦା ରାଜା ଦିବ୍ୟସିଂହ ମାନ୍ଧାତା ଓ ପାଟରାଣୀ ଲାବଣ୍ୟମଞ୍ଜରୀ ଦେବୀ ଏକ ମାଟିଘରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ରଖି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏହାର କିଛି ବର୍ଷ ପରେ ସୋନ ନଦୀରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ମାଟିଘର ସହ ଠାକୁରଙ୍କ ମୂର୍ତ୍ତି ପାଣିରେ ଭାସି ଯାଇଥିଲା। ଏଥିରେ ମ୍ରିୟମାଣ ହୋଇ ପଡ଼ିଥିବା ରାଣୀ ଲାବଣ୍ୟମଞ୍ଜରୀ ଦେବୀ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ମନ୍ଦିର ନିର୍ମାଣ କରିଥିଲେ। ଏଠାରେ ଦଧିବାମନ ଜିଉ ଭାବେ ପୂଜା ପାଇଲେ ମହାପ୍ରଭୁ ଜଗନ୍ନାଥ। ଏଥିସହ କପ୍ତିପଦାରେ ରଥଯାତ୍ରା ଆରମ୍ଭ ହୋଇଥିଲା। ଏଠିକାର ରଥ ପରମ୍ପରା ମଧ୍ୟ ବେଶ୍ ନିଆରା।
ଘୋଷଯାତ୍ରାରେ ୩ ଦିନ ଓ ବାହୁଡ଼ାରେ ୩ ଦିନ ଧରି ରଥ ଟଣାଯାଏ। ଏଠାରେ ରଥ ଟାଣିବା ପାଇଁ ନଡ଼ିଆକତା ଦଉଡ଼ି ପରିବର୍ତ୍ତେ ଶିଆଳିଲତାରୁ ପ୍ରସ୍ତୁତ ଦଉଡ଼ି ବ୍ୟବହାର କରାଯାଏ। ଚଣ୍ତିଆସାହିର ଭୂୟାଁ ସଂପ୍ରଦାୟର ଲୋକମାନେ ଏହି ଦଉଡ଼ି ଯୋଗାଇ ଦିଅନ୍ତି। ରଥଯାତ୍ରାର ବହୁ ପୂର୍ବରୁ ଉକ୍ତ ଗ୍ରାମର ଲୋକମାନେ ଜଙ୍ଗଲରୁ ଶିଆଳିଲତା ସଂଗ୍ରହ କରି ତାହାକୁ ଶୁଖାଇ ଦଉଡ଼ି ତିଆରିରେ ଲାଗିପଡ଼ନ୍ତି। ରଥଯାତ୍ରା ଦିନ ଉକ୍ତ ଦଉଡ଼ି ରଥରେ ବନ୍ଧାଯାଏ। ପୂର୍ବରୁ ୧୨ଚକ ବିଶିଷ୍ଟ ଏକ ଛୋଟିଆ ରଥରେ ମାଉସୀମା’ ମନ୍ଦିର ଯାଉଥିଲେ ମହାବାହୁ। ତେବେ ୨୦୦୧ ମସିହାରେ ଠାକୁରଙ୍କ ନବକଳେବର ହେବା ପରେ ୮ ଚକ ବିଶିଷ୍ଟ ବଡ଼ରଥ ତିଆରି ହେଉଛି। ଏଥିସହ ପୁରୁଣା ଜଗନ୍ନାଥ ମନ୍ଦିର ପଛପଟେ ଏକ ନୂତନ ଭବ୍ୟ ମନ୍ଦିର ନିର୍ମାଣ ଚାଲିଛି।